ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ଆଉ ୫ ଜଣ ଅଭିଯୁକ୍ତଙ୍କ ଫଟୋ ଜାରି କଲା SIT । ଫଟୋରେ ଥିବା ବ୍ୟକ୍ତିବିଶେଷଙ୍କ ପରିଚୟ ଜଣାଇବାକୁ SIT ଲୋକଙ୍କୁ ଅପିଲ୍ କରିଛି । ଯିଏ ବି ଅଭିଯୁକ୍ତଙ୍କ ପରିଚୟ ପୋଲିସକୁ ଜଣାଇବ ତା'ର ନାମ ଏବଂ ଠିକଣା ସମ୍ପୂର୍ଣ୍ଣ ଗୁପ୍ତ ରଖାଯିବ । ଏପରିକି ପରିଚୟ ବଦଳରେ ପୁରସ୍କାର ଦିଆଯିବ ବୋଲି ୟୁପି ପୋଲିସ ନିଜ ଟ୍ବିଟର ହ୍ୟାଣ୍ଡଲରେ ଜାରି ପ୍ରେସ୍ ବିଜ୍ଞପ୍ତି ଜରିଆରେ ଘୋଷଣା କରିଛି ।
SIT ଟ୍ବିଟରରେ ଜାରି କରିଥିବା ସେହିସବୁ ଫଟୋ ଅକ୍ଟୋବର ୩ ତାରିଖର । ଯେଉଁଦିନ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡି ଚଢାଇ ଦିଆଯିବାସହ ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ଫଟୋରେ ହିଂସାକାଣ୍ଡ ସ୍ଥଳରେ ବିଜେପି କର୍ମୀଙ୍କୁ ପିଟୁଥିବାର ଚିତ୍ର ଦେଖାଯାଇଛି । ଏନେଇ ୟୁପି ପୋଲିସ କହିଛି, ଏବେ ଏହି ମାମଲାରେ SIT ତଦନ୍ତ କରୁଥିବାବେଳେ ତଦନ୍ତରେ ସହାୟତା ପାଇଁ ଏହି ଫଟୋଗୁଡିକ ଜାରି ହୋଇଛି । ଫଟୋରେ ମହଜୁଦ ଲୋକଙ୍କ ନାମ ଓ ଠିକଣା କହିବା ଲୋକଙ୍କୁ ପୁରସ୍କାର ମିଳିବ ଏବଂ ତାଙ୍କ ପରିଚୟ ଗୋପନ ରଖାଯିବ।