ନୂଆଦିଲ୍ଲୀ: ସିଂଘୁ ସୀମାରେ ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ପୋଲିସ ଆଗରେ କରିଛି ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ନିହଙ୍ଗ ସରବଜୀତ ସିଂହ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତିକୁ ନେଇ ନିଜକୁ ଦାୟୀ କରିଛି । ଅଭିଯୁକ୍ତ ସରବଜୀତ ସିଂହକୁ ଶନିବାର କୋର୍ଟରେ ହାଜର କରାଇବ ପୋଲିସ ।
ହରିୟାଣା-ଦିଲ୍ଲୀ ସୀମାନ୍ତ ସିଘୁଂ ବର୍ଡରରେ ଜଣେ ବ୍ୟକ୍ତିର ମୃତଦେହ ମିଳିବାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଶୁକ୍ରବାର ସକାଳ ସମୟରେ ଏହି ଅଞ୍ଚଳରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ସହିତ କଟା ହାତକୁ ଉଦ୍ଧାର କରିଥିଲା ପୋଲିସ । ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେଉଥିବା ବେଳେ ବ୍ୟାରିକେଡ଼ରେ ଅର୍ଦ୍ଧନଗ୍ନ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା ।
ଏହି ମୃତଦେହ କେନ୍ଦ୍ର ସରକାରଙ୍କ କୃଷି ବିଲ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଆନ୍ଦୋଳନ ସ୍ଥାନରୁ ହିଁ ମିଳିଥିଲା । ଅଭିଯୋଗ ଅନୁଯାୟୀ ମୃତ ବ୍ୟକ୍ତି ଜଣକ ଶିଖ ଧାର୍ମିକ ପବିତ୍ର ପୁସ୍ତକକୁ ଅପମାନିତ କରୁଥିବାବେଳେ ଧରାପଡ଼ିଥିଲା । ତାକୁ ହତ୍ୟା କରିବା ପୂର୍ବରୁ ସେହି ବ୍ୟକ୍ତି ଜଣଙ୍କ ଉପରେ ଅତ୍ୟାଚାର କରାଯାଉଥିବାର ଦୃଶ୍ୟ ଭାଇରାଲ ହେଉଛି ।
ପୋଲିସର ସୂଚନାନୁସାରେ, ବର୍ତ୍ତମାନ ସରବଜିତକୁ ପଚରାଉଚରା ବେଳେ ସେହି ସମୟରେ ତାଙ୍କ ସହ କିଏ ଉପସ୍ଥିତ ଥିଲେ ଜଣାପଡିବ। ସେହି ସବୁ ଭିଡିଓକୁ ମଧ୍ୟ ପୋଲିସ ସ୍କାନ କରିଛି ଯେଉଁଥିରେ ହତ୍ୟାକାଣ୍ଡ ସମୟର ଛାତିଥରା ଦୃଶ୍ୟ ଦେଖିବାକୁ ମିଳୁଛି । ତଦନ୍ତରେ ଅଧିକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ପୋଲିସ କହିଛି। ଯଦି କୌଣସି ଅଭିଯୁକ୍ତ ହତ୍ୟାରେ ସମ୍ପୃକ୍ତ ଥିବା ଜଣାପଡେ ତେବେ ତାଙ୍କୁ ମଧ୍ୟ ଗିରଫ କରାଯିବ।