ଗ୍ୟାଙ୍ଗଟକ/କୋଲକାତା:ମଙ୍ଗଳବାର ରାତିରେସିକ୍କିମରେ ବାଦଲଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ନିଖୋଜଙ୍କ ମଧ୍ୟରୁ ଆଜି ୧୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତିସ୍ତା ନଦୀର ତଳମୁଣ୍ଡ ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ଏହି ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ମଧ୍ୟରେ ଆର୍ମି ଯବାନ ରହିଥିବା ମଧ୍ୟ ସନ୍ଦେହ କରାଯାଉଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେନାରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଛି । ଚିହ୍ନଟ ପ୍ରକ୍ରିୟା ଶେଷ ହେବା ପରେ ମୃତକଙ୍କ ପରିଚୟ ସ୍ପଷ୍ଟ କରିବ ସ୍ଥାନୀୟ ପ୍ରଶାସନ । ଏବେ ସୁଦ୍ଧା ମଧ୍ୟ ଶତାଧିକ ନିଖୋଜ ରହିଛନ୍ତି ।
ଗୌହାଟିରେ ସେନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେ ସୁଦ୍ଧା ଜଣେ ସେନା ଯବାନ ଉଦ୍ଧାର ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବଶିଷ୍ଟ ୨୨ ଜଣଙ୍କର ଏପର୍ଯ୍ୟନ୍ତ ପତ୍ତା ମିଳିନି । ଆଜି ଉଦ୍ଧାର ହୋଇଥିବା ମୃତଦେହ ମଧ୍ୟରେ ସେନା ଯବାନଙ୍କ ମୃତଦେହ ସନ୍ଦେହ କରାଯାଉଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ସେନା ଉଦ୍ଧାର ଓ ସର୍ଚ୍ଚ ଅପରେସନ ମଧ୍ୟ ଜାରି ରଖିଛି ।
ତେବେ ପଶ୍ଚିମବଙ୍ଗର ଜଲପାଇଗୁଡି ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ନଦୀର ତଳମୁଣ୍ଡରେ ଏକାଧିକ ସ୍ଥାନରୁ ଏହି ମୃତଦେହ ଜବତ କରାେଯାଇଛି । ମଇନାଗୁଡି ପୋଲିସ ଷ୍ଟେସନ ଅଧୀନସ୍ଥ ଅଞ୍ଚଳରେ ତିସ୍ତାନଦୀରୁ ମୋଟ ୮ଟି ମୃତଦେହ ଜବତ କରାଯାଇଛି । ସେହିପରି ଜଲପାଇଗୁଡି ସଦର ବ୍ଲକ ଅଞ୍ଚଳରେ ୨ଟି, ମେଖଲଗଞ୍ଜ ଅଞ୍ଚଳ, କ୍ରାନ୍ତି ବ୍ଲକ, ମାଲବଜାର ବ୍ଲକ, ତାକିମାରି ଏରିଆରୁ ୨ ଲେଖାଏଁ ମୃତଦେହ ଜବତ ହୋଇଛି । ଜବତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଉଛି । ସେମାନଙ୍କ ପରିଚୟ ସ୍ପଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ କେତେ ଜଣ ସେନା ଯବାନ ରହିଛନ୍ତି, ତାହା ଚିହ୍ନଟ ହେବା ପରେ ସ୍ପଷ୍ଟ ହୋଇପାରିବ ।