ଗ୍ୟାଙ୍ଗଟକ:ଉତ୍ତର-ସିକ୍କିମର ଲୋହନକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ପରେ ସୃଷ୍ଟି ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ଜୀବନ ଗଲାଣି । ୬୯ ଜଣ ଏବେ ବି ନିଖୋଜ ରହିଛନ୍ତି । ନିଖୋଜଙ୍କ ମଧ୍ୟରେ ୨୩ ଜଣ ସେନା ଯବାନ ଥିଲେ । ଆଜି ଜଣେ ନିଖୋଜ ଯବାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସର୍ଚ୍ଚ ଅପରେସନକୁ ଜୋରଦାର କାରଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଫୋନରେ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି ।
ସ୍ଥାନୀୟ ଏସଡିଏମଙ୍କ ଫକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ନିଖୋଜ ଥିବା ୬୯ ଜଣଙ୍କ ମଧ୍ୟରେ ୨୨ ଜଣ ଭାରତୀୟ ସେନାର ଯବାନ, ୪୭ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଗତକାଲି ମଧ୍ୟ ରାତ୍ରିଠାରୁ ଜାରି ରହିଥିବା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ ମୋଟ ୧୬୬ ଜଣଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହା ମଧ୍ୟରେ ସେନାର ଜଣେ ନିଖୋଜ ଯବାନ ଉଦ୍ଧାର ହୋଇଛନ୍ତି । ତେବେ ଉକ୍ତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି । ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଉଦ୍ଧାର ହୋଇଥିବା ଯବାନଙ୍କ ନାମ ଲେଫନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ରାଓ୍ବତ । ଏବେ ସୁଦ୍ଧା ୨୨ ଯବାନଙ୍କ ସମେତ ମୋଟ ୬୯ ଜଣ ରହିଛନ୍ତି । ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉଛି ।
ଉଦ୍ଧାର କାର୍ଯ୍ୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ସହ ଏନଡିଆରଏଫ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି । ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ସେନା ମଧ୍ୟ ଅପରେସନ ଜାରି ରଖିଛି । ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କ ସହ ଫୋନରେ କଥା ହୋଇ ସ୍ଥିତି ଓ ଉଦ୍ଧାର ଅପରେସନ ସମ୍ପର୍କରେ ଅବଗତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ତମାଙ୍ଗଙ୍କୁ ପ୍ରତିଶୃତି ଦେଇଛନ୍ତି ।