ଓଡିଶା

odisha

ETV Bharat / bharat

୧୬ତମ ମୁଖ୍ୟମନ୍ତ୍ରୀ ହେବେ ସିଦ୍ଧରମୈୟା; ପ୍ରଥମରୁ ତୃତୀୟ ଯାଏଁ ଦେଖିନଥିଲେ ସ୍କୁଲ୍‌ - କିଏ ସିଦ୍ଧରମୈୟା

କର୍ଣ୍ଣାଟକର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବରିଷ୍ଠ ରାଜନେତା ସିଦ୍ଧରମୈୟା । ଜାଣନ୍ତୁ କିଏ ସେ ଓ ତାଙ୍କର ରାଜନୈତିକ ଯାତ୍ରା ସମ୍ପର୍କରେ...

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

By

Published : May 19, 2023, 3:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସବୁ ଦ୍ବନ୍ଦ ଦୂର ହୋଇଛି । ରାଜ୍ୟର ୨୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭେଟେରାନ ରାଜନେତା ସିଦ୍ଧରମୈୟା । ଦ୍ବିତୀୟ ଥର କର୍ଣ୍ଣାଟକର ଶାସନ ଭାର ସମ୍ଭାଳିବେ । ମଧ୍ୟବିତ୍ତ ପରିବାରରେ ଜନ୍ମ ନେଇଥିବା ସିଦ୍ଧରମୈୟା ରାଜନୀତିରେ ପ୍ରବେଶ କରିବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ହେଲେ ଜାଣନ୍ତି କି, ପୁନର୍ବାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଥିବା ଏହି ସଫଳ ରାଜନେତା ପ୍ରଥମରୁ ତୃତୀୟ କ୍ଲାସ ପର୍ଯ୍ୟନ୍ତ ପାଠ ପଢି ନାହାନ୍ତି । ଆଜିର ସ୍ମାର୍ଟଫୋନ ଯୁଗରେ ନେତା ମନ୍ତ୍ରୀ ସବୁ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ବେଳେ ସିଦ୍ଧରମୈୟା ଆଦୌ ଫୋନ୍‌ ବ୍ୟବହାର କରନ୍ତି ନାହିଁ । ଦଳୀୟ ଓ ଶୀର୍ଷ ନେତା ବ୍ୟକ୍ତିଗତ ସହାୟକଙ୍କ ଜରିଆରେ ତାଙ୍କ ସହ ଯୋଗାଯୋଗ କରିଥାନ୍ତି । ଜାଣନ୍ତୁ କର୍ଣ୍ଣାଟକର ଏହି ବରିଷ୍ଠ ରାଜନେତାଙ୍କ ସମ୍ପର୍କରେ ଏଭଳି କିଛି ରୋଚକ କଥା ଓ ତାଙ୍କର ରାଜନୈତିକ ଯାତ୍ରା ସମ୍ପର୍କରେ...

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ଏକଦା ସିଦ୍ଧରମୈୟା ଅର୍ଥମନ୍ତ୍ରୀ ଥିବା ସମୟରେ, ଯିଏ ମେଣ୍ଢା ଗଣିପାରିବେ ନାହିଁ ସିଏ ବଜେଟ କେମିତି ଉପସ୍ଥାପନ କରିପାରିବେ ବୋଲି କହି ତାଙ୍କୁ କଟ୍ଟୁ ସମାଲୋଚନା କରାଯାଇଥିଲା । କିନ୍ତୁ ସେ ବିଧାନସଭାରେ ଅଦ୍ୟାବିଧି ସଫଳତା ପୂର୍ବକ ୧୩ ଥର ଆର୍ଥିକ ବଜେଟ ଉପସ୍ଥାପନ କରିସାରିଛନ୍ତି ଏବଂ ବର୍ତ୍ତମାନ ନିଜର ୧୪ତମ ବଜେଟ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପରମ୍ପରା ଅନୁସାରେ, ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାଜ୍ୟର ନୂତନ ବଜେଟ ଆଗତ ହେବ । ଶପଥ ଗ୍ରହଣ ଉତ୍ସବ ସରିବା ପରେ, ଏଥିପାଇଁ ଖୁବଶୀଘ୍ର ପ୍ରସ୍ତୁତ ଆରମ୍ଭ ହୋଇଯିବ ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ସିଦ୍ଧରମୈୟାଙ୍କ ଶିକ୍ଷା: ୧୯୪୮ ମସିହା ଅଗଷ୍ଟ ୧୨ ତାରିଖରେ କର୍ଣ୍ଣାଟକ ମହୀଶୂର ଜିଲ୍ଲା ବରୁଣ ହୋବଲିର ଏକ ଛୋଟିଆ ଗ୍ରାମରେ କୃଷକ ପରିବାରରେ ସିଦ୍ଧରମୈୟାଙ୍କ ଜନ୍ମ । ମଧ୍ୟବିତ୍ତ ପରିବାରର ଜନ୍ମ ନେଇଥିବା ଏହି ରାଜନେତାଙ୍କ ପିଲାଦିନ ଖୁବ୍ କଷ୍ଟରେ କଟିଥିଲା । ତାଙ୍କର ପାଠପଢା ପ୍ରତି ଅହେତୁକ ଆଗ୍ରହ ଦେଖି ଗାଁ ସ୍କୁଲ ଶିକ୍ଷକ ସିଧାସଳଖ ଚତୁର୍ଥ କ୍ଲାସରେ ତାଙ୍କ ନାମ ଲେଖାଇଥିଲେ । ତେଣୁ ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢିନଥିଲେ ସିଦ୍ଧରମୈୟା । ସ୍କୁଲ ପଢା ସରିବା ପରେ ମହୀଶୂର ଯୁବରାଜ କଲେଜରୁ ବିଏସସିରେ ସ୍ନାତକ କରିଥିଲେ । ସିଦ୍ଧରମୈୟାଙ୍କ ବାପା ପୁଅକୁ ଡାକ୍ତର କରିବାକୁ ଚାହୁଁଥିଲେ । କିନ୍ତୁ ସେ ସାରଦା ବିଲାସ କଲେଜରୁ ଏଲଏଲବି ଡିଗ୍ରୀ ହାସଲ କରି ପ୍ରଥମେ ଅତିଥି ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ଏହାପରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ସମୟରେ ସମାଜିକ କର୍ମୀ ବିଚାରକ ଡ. ରାମ ମନୋହର ଲୋହିଆଙ୍କ ସଂସ୍ପର୍ଶରେ ଆସି ରାଜନୀତିରେ ପାଦ ଦେଇଥିଲେ ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

ରାଜନୈତିକ ଯାତ୍ରା: ରାଜନୀତି ପାଇଁ ସିଦ୍ଧରମୈୟା ଆଇନଜୀବୀ ପେଶା ଛାଡି ଥିଲେ । ୧୯୭୮ସେ ସେ ତାଲୁକ ଉନ୍ନୟନ ବୋର୍ଡର ସଦସ୍ୟ ହୋଇଥିଲେ । କୃଷକ ଆନ୍ଦୋଳନର ପ୍ରମୁଖ ପ୍ରଫେସର ଏମଡି ନଞ୍ଜୁନ୍ଦାସ୍ବାମୀଙ୍କୁ ଭେଟିବା ପରେ ସିଦ୍ଧରମୈୟା ୧୯୮୦ରେ ମହୀଶୂରରୁ ଲୋକସଭା ନିର୍ବାଚନ ଲଢିଥିଲେ । କିନ୍ତୁ ତାଙ୍କୁ ପରାଜୟ ବରଣ କରିବାକୁ ପଡିଥିଲା । ଏହାପରେ ୧୯୮୩ରେ ଲୋକ ଜନତା ଦଳରୁ ପ୍ରାର୍ଥୀ ହୋଇ ବିଧାନସଭା ନିର୍ବାଚନ ଜିତି କର୍ଣ୍ଣାଟକ ବିଧାନସଭାରେ ପ୍ରବେଶ କରିଥିଲେ । ପରେ ଜନତା ଦଳରୁ ନିର୍ବାଚନ ଜିତିବା ପରେ ମନ୍ତ୍ରୀ ହୋଇଥିଲେ ।

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା

୧୯୯୧ରେ ସିଦ୍ଧରମୈୟା କୋପ୍ପାଲରୁ ଲୋକସଭା ନିର୍ବାଚନ ଲଢି ହାରି ଯାଇଥିଲେ । ଏହାପରେ ୧୯୯୪ରେ ସେ ଜନତା ଦଳ ପ୍ରାର୍ଥୀ ଭାବେ ପୁଣିଥରେ ବିଧାନସଭା ନିର୍ବାଚନ ଜିତିଥିଲେ ଏବଂ ତୃତୀୟ ଥର ବିଧାୟକ ହୋଇଥିଲେ । ଏହାପରେ ଏଚଡ଼ି ଦେବଗୌଡାଙ୍କ କ୍ୟାବିନେଟରେ ତାଙ୍କୁ ଅର୍ଥମନ୍ତ୍ରୀ ଦାୟିତ୍ବ ମିଳିଥିଲା । ୧୯୯୯ରେ ଜନତା ଦଳ ଭାଙ୍ଗିଯିବା ପରେ ଦେବଗୌଡା ଧର୍ମନିରପେକ୍ଷ ଜନତା ଦଳ(ଜେଡିଏସ) ଗଠନ କଲେ । ସିଦ୍ଧରମୈୟା ଜେଡିଏସ୍‌ରେ ଯୋଗ ଦେଇ ସେହିବର୍ଷ ନିର୍ବାଚନ ଲଢିଥିଲେ ହେଁ ହାରି ଯାଇଥିଲେ ।

୨୦୦୪ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୁନର୍ବାର ବିଜୟୀ ହୋଇ ଉପମୁଖ୍ୟମନ୍ତ୍ରୀ ପଦରେ ବସିଥିଲେ ସିଦ୍ଧରମୈୟା । କିନ୍ତୁ କେତେକ ରାଜନୈତିକ କାରଣ ଯୋଗୁଁ ସେ ଜେଡିଏସରୁ ବହିଷ୍କାର ହୋଇଥିଲେ । ପରବର୍ତ୍ତୀ ସମୟରେ ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ ୨୦୦୬ରେ କଂଗ୍ରେସରେ ଯୋଗ ଦେଇଥିଲେ । ୨୦୦୬ରେ ସିଦ୍ଧରମୈୟା ଚାମୁଣ୍ଡେଶ୍ବରୀ ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ସ୍ବଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ଏହି ବିଜୟ ତାଙ୍କ ରାଜନୈତିକ କ୍ୟାରିୟର ବଦଳାଇ ଦେଇଥିଲା ।

୨୦୦୮ରେ ସିଦ୍ଧରମେୟା ବରୁଣା ଆସନରୁ ବିଧାନସଭାକୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସ ପୂର୍ଣ୍ଣ ବହୁମତରେ ସରକାର ଗଠନ କରିଥିଲା ଏବଂ ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୧୮ ନିର୍ବାଚନରେ ସେ ଉଭୟ ଚାମୁଣ୍ଡେଶ୍ବରୀ ଏବଂ ବାଦାମୀ ଆସନରୁ ପ୍ରତିଦ୍ବନ୍ଦିତା କରିଥିବାବେଳେ ଚାମୁଣ୍ଡେଶ୍ବରୀ ଆସନରେ ତାଙ୍କର ପରାଜୟ ହୋଇଥିଲା । ଚଳିତ ନିର୍ବାଚନରେ ଏହି ଭେଟେରାନ ରାଜନେତା ବରୁଣା ଆସନରୁ ବିପୁଳ ଭୋଟରେ ବିଜୀୟ ହୋଇ ଏବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଆସନ୍ତାକାଲି ଅପରାହ୍ନ ସାଢେ ୧୨ଟା ସମୟରେ ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

ABOUT THE AUTHOR

...view details