ନୂଆଦିଲ୍ଲୀ:ସମ୍ପ୍ରସାରଣ ହେବ ସିଦ୍ଧରମୈୟାଙ୍କ କ୍ୟାବିନେଟ । ଆସନ୍ତାକାଲି(ଶନିବାର) କର୍ଣ୍ଣାଟକ ସରକାରଙ୍କ କ୍ୟାବିନେଟ ସମ୍ପ୍ରସାରଣ ହୋଇପାରେ । ସିଦ୍ଧରମୈୟାଙ୍କ ଟିମରେ ସାମିଲ ହୋଇ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି 20ରୁ 24 ବିଧାୟକ । ଏନେଇ କଂଗ୍ରେସ ତରଫରୁ ସୂଚନା ମିଳିଛି ।
ଗୁରୁବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କ୍ୟାବିନେଟର ସମ୍ପ୍ରସାରଣ ବିଷୟରେ ଦିଲ୍ଲୀ ଯାଇ କେସି ଭେନୁଗୋପାଲ ଏବଂ ରଣଦୀପ ସିଂ ସୁରଜେୱାଲାଙ୍କ ସହ ଆଲୋଚନା କରିଥିଲେ । ଏହି ଚାରି ନେତାଙ୍କ ମଧ୍ୟରେ ଦୀର୍ଘ 5 ଘଣ୍ଟା ଧରି ଆଲୋଚନା ହୋଇଥିଲା । ଏଥିରେ କେଉଁ ବିଧାୟକକଙ୍କୁ ମନ୍ତ୍ରୀ ପଦ ଦିଆଯିବ ତାହା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା । ଆସନ୍ତାକାଲି(ଶନିବାର) ଦିନ 11ଟା 30 ମିନିଟରେ 20ରୁ 24 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ନେଇ ସୂଚନା ରହିଛି ।
ଦଳ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବୈଠକରେ 20ରୁ 24 ଜଣ ବିଧାୟକଙ୍କ ନାମ ଉପରେ ଆଲୋଚନା ହୋଇଥିଲା । ଏହାପରେ ମନ୍ତ୍ରୀଙ୍କ ନାମ ସ୍ଥିର କରିବାକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନିକଟକୁ ଏକ ପତ୍ର ପଠାଯାଇଛି । ତେବେ ବେଙ୍ଗାଲୁରୁ ଅଭିମୁଖେ ବାହାରିବା ପୂର୍ବରୁ ଦୁଇ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।