ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ନେବେ ସିଦ୍ଧରମୈୟା । ମଧ୍ୟାହ୍ନ ୧୨.୩୦ଟାରେ ବେଙ୍ଗାଲୁରୁ କାନ୍ତିରୱା ଷ୍ଟାଡିୟମରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏହାରି ସହ ଦକ୍ଷିଣ ରାଜ୍ୟ କର୍ଣ୍ଣାଟକରେ ସରକାର ଗଢିବ କଂଗ୍ରେସ । ଏହି ସମାରୋହରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ । ଏନେଇ ଦଳୀୟ ନେତାଙ୍କ ମଧ୍ୟରେ ଉତ୍ସାହର ମାହୋଲ ଥିବା ବେଳେ ୧୧ ଶୀର୍ଷ ନେତୃତ୍ବ ଏହି ସମାରୋହରେ ସାମିଲ ହେବାକୁ ଯାଉଛନ୍ତି । ଅତିଥି ତାଲିକାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କଠାରୁ ଆରମ୍ଭ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାଁ ସାମିଲ ରହିଛି । ପ୍ରାୟ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସମାରୋହରେ ସାମିଲ ହେବା ଲାଗି ସେମାନଙ୍କୁ ନିମନ୍ତ୍ରିତ କରାଯାଇଛି ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ସମାରୋହରେ ବିଜେପି-ବିରୋଧୀ ଦଳର ମେଳି ଦେଖିବାକୁ ମିଳିବ । ସିଦ୍ଧରମୈୟା ୧୬ତମ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶିବକୁମାର ଶପଥ ଗ୍ରହଣ କରିବେ । ଏହି ସମାରୋହରେ ସାମିଲ ହେବା ଲାଗି KPCC ପକ୍ଷରୁ ଅତିଥିମାନଙ୍କୁ ନିମନ୍ତ୍ରିତ କରାଯାଇଛି । ଏହି ଅତିଥିଙ୍କ ମଧ୍ୟରେ ୧୧ ଜଣ ଶୀର୍ଷ ନେତୃତ୍ବ ରହିଛନ୍ତି । AICCର ହାଇକମାଣ୍ଡଙ୍କ ମଧ୍ୟରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଅତିଥି ଭାବେ ଯୋଗ ଦେବେ ।
ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ହିମାଚଳପ୍ରଦେଶ ସିଏମ ଶୁଖୱିନ୍ଦର ସିଂ ସୁଖୁ, ପୁଡୁଚେରୀ ସିଏମ ରଙ୍ଗସ୍ବାମୀ, ଝାଡ଼ଖଣ୍ଡ ସିଏମ ହେମନ୍ତ ସୋରେନ ପ୍ରମୁଖ ଅତିଥି ତାଲିକାରେ ସାମିଲ ରହିଛନ୍ତି ।