ସିମଲା:ହିମାଚଳ ବିଧାନସଭା ନିର୍ବାଚନ ୨୦୨୨ ପାଇଁ ବାଜି ସାରିଛି ବିଗୁଲ(Himachal assembly elections 2022) । ଏଥିପାଇଁ ଦେଶର ପ୍ରଥମ ଭୋଟର ଶ୍ୟାମ ସରନ ନେଗି ପୁଣିଥରେ ତାଙ୍କ ଭୋଟ ଦେଇ ନିଜ ପସନ୍ଦର ନେତା ବାଛିବା ପାଇଁ ପ୍ରସ୍ତୁତ ରହିଛନ୍ତି (Shyam Saran Negi Will Vote in Himachal Election) । ସେ ୧୦୫ ବର୍ଷରେ ପହଞ୍ଚିଥିଲେ ମଧ୍ୟ ଭୋଟ ଦେଇ ଯୁବପିଢିଙ୍କୁ ନିଜ ମତଦାନ କରିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । ପ୍ରଥମ ଭୋଟର ଶ୍ୟାମ ସରନ ନେଗି କହିଛନ୍ତି ସେ ଘରେ ହେଉ କି ବୁଥରେ ସେ ନିଶ୍ଚିତ ଭାବରେ ଭୋଟ୍ ଦେବେ ଏବଂ ରାଜ୍ୟର ସମସ୍ତ ନାଗରିକଙ୍କୁ ଭୋଟ ଦେବା ପାଇଁ ପ୍ରେରଣା ଯୋଗାଇବେ ।
ନେଗି କିପରି ଭଲରେ ଭୋଟ ଦେବେ ସେଥିଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛି । ଡିସି କିନ୍ନୌର ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଆବିଦ ହୁସେନ୍ ସାଦିକ କହିଛନ୍ତି ଯେ ସେମାନେ ସମସ୍ତେ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, "ଦେଶର ପ୍ରଥମ ଭୋଟର ୧୦୫ ବର୍ଷୀୟ ଶ୍ୟାମ ସରନ ନେଗିଙ୍କ ଯଦି ସ୍ବାସ୍ଥ୍ୟାବସ୍ଥା ଭଲ ରୁହେ ତେବେ ସେ ନିଜର ମତଦାନ ବୁଥରେ କରିବେ । ଭୋଟ୍ ଦେବା ପରେ ସେଠାରେ ତାଙ୍କ ପାଇଁ ଏକ ରେଡ କାର୍ପେଟ ରଖାଯିବ। ଏଥିସହିତ ଯଦି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନ ରୁହେ, ତେବେ ତାଙ୍କ ଭୋଟ ପ୍ରଶାସନର ମନିଟରିଂରେ ତାଙ୍କ ଘରେ କରାଯିବ । ପ୍ରାଥମିକତା ଭିତ୍ତିରେ ତାଙ୍କର ଭୋଟ୍ ନିଆଯିବ ।"
କିପରି ହେଲେ ଦେଶର ପ୍ରଥମ ମତଦାତା:-
୧୯୫୨ ଫେବୃଆରୀରେ ଦେଶରେ ପ୍ରଥମ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କିନ୍ତୁ କିନ୍ନୌରରେ ପ୍ରବଳ ବରଫପାତ ଯୋଗୁଁ କେବଳ ୨୫ ଅକ୍ଟୋବର ୧୯୫୧ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନିର୍ବାଚନ ସମୟରେ ଶ୍ୟାମ ସରନ ନେଗି କିନ୍ନୌରର ମୋରାଙ୍ଗ ସ୍କୁଲରେ ଶିକ୍ଷକ ଥିଲେ ଏବଂ ନିର୍ବାଚନରେ ଡ୍ୟୁଟିରେ ଥିଲେ। ସେ ଭୋଟ୍ ଦେବାକୁ ବହୁତ ଉତ୍ସାହିତ ଥିଲେ। ଏଣୁ ସେ ସକାଳେ ଭୋଟ ଦେଇ ଡ୍ୟୁଟିରେ ଯିବାକୁ ଅନୁମତି ମାଗିଥିଲେ ।