ଲକ୍ଷ୍ନୌ:ବହୁଚର୍ଚ୍ଚିତ ଜ୍ଞାନବ୍ୟାପୀ ମସଜିଦ ମାମଲାର ଆଜି (ସୋମବାର) ବାରାଣାସୀ କୋର୍ଟରେ ଶୁଣାଣି ହେବ । ପୂର୍ବରୁ ଏହି ମାମଲାରେ ଶେଷ ଥର ପାଇଁ ଜୁଲାଇ 4ରେ ଶୁଣାଣି ହୋଇଥିଲା । ଆଜି ଏହି ମାମଲାର ରାୟ ଆସିପାରେ । ଉତ୍ତରପ୍ରଦେଶ ବାରଣାସୀ ଜିଲ୍ଲା ଜଜ୍ ଏ ସମ୍ପର୍କରେ ରାୟ ଶୁଣାଇବେ । ଯାହା ଉପରେ ଦେଶବାସୀଙ୍କ ନଜର ରହିଛି । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରଣାସୀରେ ୧୪୪ ଧାରା ଲାଗୁ କରାଯାଇଛି । ମଇ ଏବଂ ଜୁନରେ ଏହି ମାମଲା ଚର୍ଚ୍ଚାର ବିଷୟ ଥିଲା ।
ଅଦାଲତଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ବାରଣାସୀ ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ରହିଛି । ରବିବାର ଅଦାଲତ ପରିସରରେ ଚେକିଂ କଡାକଡି ହୋଇଛି । ପୋଲିସ ଅଦାଲତ ପାଖ ସମସ୍ତ ସ୍ଥାନରେ ଚେକିଂକୁ ଜୋରଦାର କରିଛି । ପୋଲିସ ଅଧିକାରୀ ଏ ସତୀଶ ଗଣେଶ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ନିବେଦନ କରିଛନ୍ତି । ଏହା ସହ ସହରରେ 144 ଧାରା ଲାଗୁ ହୋଇଛି । ସୁପ୍ରିମକୋର୍ଟଙ୍କ ଆଦେଶରେ ଜିଲ୍ଲା ଜଜ ଶୃଙ୍ଗାର ଗୌରୀ ମାମଲାରେ 24 ଅଗଷ୍ଟରେ ସମସ୍ତ ପକ୍ଷ ଶୁଣିଥିଲେ । 12 ଡିସେମ୍ବର ଯାଏଁ ରାୟ ସଂରକ୍ଷିତ ରଖିଥିଲେ । ଏ ମାମଲାରେ ତତକାଳୀନ ସିଭିଲ ଜଜ ରବି କୁମାର ଦିବାକର ସର୍ଭେର ଆଦେଶ ଜାରି କରିଥିଲେ । ଏହାପରେ ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କରାଯାଇଥିଲା ।