ଲକ୍ଷ୍ନୌ:ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦକୁ ନେଇ ବିବାଦ ଲାଗି ରହିଛି(Krishna Janmabhoomi-Shahi Idgah Case) । ଇଦଗାହ ମସଜିଦ ଭଗବାନ ଶ୍ରୀକୃଷ୍ଣ ପ୍ରକୃତ ଜନ୍ମସ୍ଥଳୀ ବୋଲି ଦାବି କରୁଛନ୍ତି ହିନ୍ଦୁ ପକ୍ଷ । ଏଥିପାଇଁ ମୋଟ ୧୩.୩୭ ଏକର ଜମିର ମାଲିକାନା ଦାବି ନେଇ ମଥୁରା କୋର୍ଟରେ ପିଟିସନ ଦାୟର ହୋଇଛି । ଆଜି ମଥୁରା ଜିଲ୍ଲା କୋର୍ଟରେ ଏହି ମାମଲାର ଶୁଣାଣି ହେବ । ଆବେଦନକାରୀ ପିଟିସନରେ ସମସ୍ତ ଜମିର ମାଲିକାନା ସହ ସେଠାରେ ଥିବା ଶାହି ଇଦଗାହ ମସଜିଦ ହଟାଇବାକୁ ଦାବି କରିଛନ୍ତି । ଏହାସହିତ ସେ ଏହି ବିବାଦୀୟ ସ୍ଥାନର ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି ପାଇଁ ମଧ୍ୟ କୋର୍ଟଙ୍କୁ ନିବେଦନ କରିଛନ୍ତି ।
ମଥୁରାରେ ମୋଟ ୧୩.୩୭ ଏକର ଜମିରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ନିର୍ମିତ । ଯେଉଁଥିରେ ୧୦.୯ ଏକର କୃଷ୍ଣ ଜନ୍ମଭୂମି ଲୀଳା ମଞ୍ଚ ଓ ଭାଗବତ ଭବନ ଏବଂ ୨.୫ ଏକର ଜମିରେ ଶାହି ଇଦଗାହ ମସଜିଦ ନିର୍ମାଣ ହୋଇଛି । ଏଣୁ ଶ୍ରୀକୃଷ୍ଣ ଜନ୍ମଭୂମି ପରିସର ଭିତରୁ ଏହି ମସଜିଦକୁ ଉଚ୍ଛେଦ କରିବାକୁ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରାଯାଇଥିଲା । ନିମ୍ନ ଅଦଲାତରେ ମାମଲା ବିଚାର ପ୍ରକ୍ରିୟା ବିଳମ୍ବ ହେବାରୁ ଆବେଦନକାରୀ ମନୀଷ ଯାଦବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହାପରେ ଅଗଷ୍ଟ ୨୦ରେ ହାଇକୋର୍ଟ ଏହି ବିବାଦୀୟ ମସଜିଦ ମାମଲାର ଶୁଣାଣି କରି ଚାରି ମାସ ମଧ୍ୟରେ ମନ୍ଦିର ପକ୍ଷରୁ ଦାୟର ପିଟିସନର ଶୁଣାଣି କରିବାକୁ ନିମ୍ନ ଅଦାଲତକୁ ନିର୍ଦ୍ଦେଶ ଦେଇଥିଲେ ।