ଲକ୍ଷ୍ନୌ:ଏବେ ସମସ୍ତଙ୍କୁ ଟମାଟୋ ଟେନସନ । ସେଞ୍ଚୁର ପାର୍ କରିବା ପରେ ହାଣ୍ଡିଶାଳରୁ ଉଭାନ ହୋଇଯାଇଛି ଟମାଟୋ । ଲୋକେ ବଜାରରୁ ଏହାକୁ କିଣିବାକୁ ଭୟ କରୁଛନ୍ତି । କିନ୍ତୁ ଆପଣ ମାଗଣାରେ ଟମାଟୋ ଚାହୁଁଛନ୍ତି କି ? ସମ୍ପୂର୍ଣ୍ଣ ମାଗଣାରେ ଗୋଟିଏ କେଜି ଟମୋଟା ପାଇପାରିବେ । କଥାଟି ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଉତ୍ତରପ୍ରଦେଶର ଜଣେ ଦୋକାନୀ ମାଗଣାରେ ଏକ କେଜି ଟମାଟୋ ଅଫର୍ କରୁଛନ୍ତି । କିନ୍ତୁ ଏଥିପାଇଁ ଆପଣଙ୍କୁ ତାଙ୍କ ଦୋକାନରୁ ଗୋଟିଏ ମୋବାଇଲ ଫୋନ କିଣିବାକୁ ପଡିବ । ସାରା ଦେଶରେ ଟମାଟୋ ଦର ମଧ୍ୟବିତ୍ତ ଓ ଗରୀବ ଲୋକଙ୍କ ଚିନ୍ତା ବଢାଇଥିବା ବେଳେ ଟମାଟୋକୁ ନେଇ ଏହିଭଳି ନିଆରା ଅଫର୍ ଆରମ୍ଭ କରିଛନ୍ତି ୟୁପି ବାଗପତର ଉପେନ୍ଦ୍ର କୁମାର ନାମକ ମୋବାଇଲ ଦୋକାନୀ । ଗୋଟିଏ ଫୋନରେ ଗୋଟିଏ କେଜି ଟମାଟୋ ଫ୍ରି ଘୋଷଣା କରିଛନ୍ତି ।
ମୋବାଇଲ କିଣିଲେ ଟମାଟୋ ଫ୍ରି:ବାଗପତ ଅଞ୍ଚଳରେ ଉପେନ୍ଦ୍ରଙ୍କ ଏକ ମୋବାଇଲ ଦୋକାନ ରହିଛି । ଦାରଦାମ୍ ବୃଦ୍ଧି ଯୋଗୁଁ ତାଙ୍କ ଦୋକାନରେ ଭଲ ଗ୍ରାହକ ହେଉନଥିଲେ । ନିଜର ବିକ୍ରି ବଢାଇବା ପାଇଁ ସେ ଉପାୟ ବାହାର କରିଥିଲେ । ବର୍ତ୍ତମାନ ଟମାଟୋ କେଜି ୧୦୦ରୁ ଅଧିକ ଟଙ୍କା ହୋଇଥିବାରୁ ଗ୍ରାହକ କିଣିବାକୁ କୁଣ୍ଠାବୋଧ କରୁଛନ୍ତି । ଏହି ସୁଯୋଗରେ ଲୋକଙ୍କୁ ନିଜ ଦୋକାନକୁ ଆକର୍ଷିତ କରିବା ପାଇଁ ମୋବାଇଲ କିଣିଲେ ଗ୍ରାହକଙ୍କୁ ମାଗଣାରେ ଟମାଟୋ ଦେବେ ବୋଲି ଘୋଷଣା କରିଛନ୍ତି ଦୋକାନୀ । 'ଗୋଟିଏ ମୋବାଇଲ ଫୋନରେ ଗୋଟିଏ କେଜି ଟମାଟୋ ଫ୍ରି' ଅଫର୍ ଆରମ୍ଭ କରିଛନ୍ତି । ଯାହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି ।