ହାଇଦ୍ରାବାଦ:ଅଷ୍ଟ୍ରେଲିଆରେ ପ୍ରେମ ପ୍ରତିଶୋଧରୁ ଭାରତୀୟ ଛାତ୍ରୀଙ୍କୁ ହତ୍ୟା । ହତ୍ୟାକାରୀ ମଧ୍ୟ ଜଣେ ଭାରତୀୟ । ବେକରେ କେବୁଲ ତାର ବାନ୍ଧି ହତ୍ୟା ଉଦ୍ୟମ କରିବା ପରେ ଛାତ୍ରୀଙ୍କୁ ଜୀବନ୍ତ ପୋତି ଦେଇଥିଲା ପୂର୍ବତନ ପ୍ରେମିକ । ଏହି ନିର୍ମମ ହତ୍ୟାକାଣ୍ଡ 2021 ମସିହାରେ ଘଟିଥିଲା । ପୂର୍ବରୁ ଅଭିଯୁକ୍ତ ମଧ୍ୟ ଗିରଫ ହୋଇସାରିଛି । ଏହି ମାମଲାର ଶୁଣାଣି ଜାରି ରହିଥିଲା । ଏବେ ଏହି ମାମଲାରେ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଷ୍ଟ୍ରେଲିଆ କୋର୍ଟ ।
ହତ୍ୟାର ଶିକାର ହୋଇଥିବା ଛାତ୍ରୀ ହେଉଛନ୍ତି 21 ବର୍ଷୀୟା ଜସମିନ କୌର । ସେ ସେଠାରେ ନର୍ସିଂ ଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । 2021 ମସିହାରେ ଅଷ୍ଟ୍ରେଲିଆର ଆଡିଲେଡର ଉତ୍ତର ପୁଲମ୍ପଟନ୍ରେ ତାଙ୍କୁ 23 ବର୍ଷୀୟ ଅଭିଯୁକ୍ତ ତାରିକଜୋତ ସିଂ ପିଚ୍ଛା କରି ଅପହରଣ କରିଥିଲା ଓ ପରେ ଏକ ଅଜ୍ଞାତ ସ୍ଥାନକୁ ନେଇ ହତ୍ୟା କରିଥିଲା । ଜସମିନଙ୍କୁ ପ୍ରଥମେ ଏକ କେବୁଲ ତାରରେ ଗଳା ଚିପି ହତ୍ୟା ଉଦ୍ୟମ କରିଥିଲା ହତ୍ୟାକାରୀ । ପରେ ତାଙ୍କୁ ଏକ ଖାଲରେ ଜୀବନ୍ତ ପୋତି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଘଟଣାରେ ଅଷ୍ଟ୍ରେଲିଆ ପୋଲିସ ଅଭିଯୁକ୍ତକୁ ଗିରଫ ମଧ୍ୟ କରିଥିଲା ।
ପୀଡିତାଙ୍କ ମା’ଙ୍କ ସୂଚନା ଅନୁସାରେ, ତାରିକଜୋତ ଜସମିନଙ୍କୁ ବିବାହ କରିବାକୁ ଚାହୁଁଥିଲା । ହେଲେ ଜସମିନ ଏଥିରେ ସହମତ ନଥିଲା । ଅଭିଯୁକ୍ତ ତା ଉପରେ ବାରମ୍ବାର ଚାପ ପକାଇବା ସହ ଧମକ ମଧ୍ୟ ଦେଉଥିଲା । ବିବାହ କରିବାରେ ବିଫଳ ହେବା କାରଣରୁ ସେ ପ୍ରତିଶୋଧ ପରାୟଣ ହୋଇ ତାକୁ ଅପହରଣ କରିନେଇଥିଲା ଓ ପରେ ହତ୍ୟାକାଣ୍ଡ ଭିଆଇ ଫେରାର ମଧ୍ୟ ହୋଇଯାଇଥିଲା ।