ମୁମ୍ବାଇ: ସମୟ ବଢିବା ସହ ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସଂଧ୍ୟାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ ରହିଛି । ବୈଠକରେ ଅନୁପସ୍ଥିତ ରହିଲେ ଦଳ ସଦସ୍ୟ ନୁହନ୍ତି ବୋଲି ବିଚାର କରାଯିବା ନେଇ ନିର୍ଦ୍ଦେଶନାମାର ସ୍ପଷ୍ଟ କରାଯାଇଛି । ବୈଠକ ପରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧିତ ମଧ୍ୟ କରିବେ । ଏହି ସମ୍ବୋଧନରେ ସେ ନିଜ ଇସ୍ତଫା ଘୋଷଣା କରିବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆଜି ଅପରାହ୍ନରେ ବସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ପ୍ରାୟ 8 ଜଣ ମନ୍ତ୍ରୀ ସାମିଲ ହୋଇନଥିବାର ସୂଚନା ରହିଛି । ଆଜି ସଂଧ୍ୟା 5 ରେ ଶିବସେନା ବିଧାୟକ ଦଳ ବୈଠକ ହେବାକୁ ସ୍ଥିର କରାଯାଇଛି । ଦଳରୁ ବିଦ୍ରୋହ କରିଥିବା ବରିଷ୍ଠ ନେତା ତଥା ଉଦ୍ଧବଙ୍କ ସହଯୋଗୀ ଏକନାଥ ସିନ୍ଧେ ନିଜ ପାଖରେ ଶିବସେନା ଓ ଅନ୍ୟ ସ୍ବାଧୀନ ବିଧାୟକଙ୍କୁ ସଂଖ୍ୟା ମିଶାଇ ପ୍ରାୟ 45 ବିଧାୟକ ଥିବା ଦାବି କରିଛନ୍ତି । ସିନ୍ଧେଙ୍କ ଦାବିରେ ସତ୍ୟତା ଥିଲେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ପତନ ଏକପ୍ରକାର ସ୍ପଷ୍ଟ । ଦଳୀୟ ମୋଟ ବିଧାୟକଙ୍କ ସଂଖ୍ୟାର 2 ତୃତୀୟାଂଶ ବିଧାୟକ ଦଳ ତ୍ୟାଗ କଲେ ଦଳ ବଦଳ ନିରୋଧ ଆଇନ ମଧ୍ୟ ଲାଗୁ ହେବ ନାହିଁ । ତେଣୁ ସିନ୍ଧେ ଉକ୍ତ ବିଧାୟକଙ୍କୁ ନେଇ ନୂଆ ଦଳ ଗଠନ କରିବା ସହ ବିଜେପିକୁ ସମର୍ଥନ ଦେଇ ନୂଆ ସରକାର ଗଠନ ମଧ୍ୟ କରିପାରନ୍ତି ।