ମୁମ୍ବାଇ:ମହାରାଷ୍ଟ୍ରରେ ଜାରି ରିହଥିବା ବିବାଦ ମଧ୍ୟରେ ଆଜି ବିଧାନ ଭବନରେ ଥିବା ଶିବସେନା ଦଳୀୟ କାର୍ଯ୍ୟାଳୟକୁ ନିଜ ଦଖଲକୁ ନେଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଗୋଷ୍ଠୀ । ବଜେଟ ଅଧିବେଶନ ପୂର୍ବରୁ ଆଜି ସିନ୍ଦେ ଗୋଷ୍ଠୀର ବିଧାୟକଙ୍କର ଏକ ବୈଠକ ହୋଇଥିଲା । ଏହି ଅବସରରେ ଦଳୀୟ ବିଧାୟକମାନେ ବିଧାନ ଭବନରେ ଥିବା ଶିବସେନା ମୁଖ୍ୟ କାର୍ଯ୍ୟାଳୟରେ ପ୍ରବେଶ କରିଛନ୍ତି । ସିନ୍ଦେ ଗୋଷ୍ଠୀର ବିଧାୟକ ମଙ୍ଗେସ କୁଦାଲକର, ସଦା ସର୍ଭଣାକର, ଚମ୍ପନ ରାଓ ପାଟିଲ ପ୍ରମୁଖ କାର୍ଯ୍ୟାଳୟକୁ ଦଖଲକୁ ନେଇଛନ୍ତି ।
ଦୁଇ ଦିନ ପୂର୍ବେ (ଶୁକ୍ରବାର) ନିର୍ବାଚନ ଆୟୋଗ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଶିବସେନା ଦଳ ଭାବେ ସ୍ବୀକୃତି ଦେବା ସହ ଦଳର ନିର୍ବାଚନୀ ପ୍ରତୀକ ‘ଧନୁ ତୀର’ ମଧ୍ୟ ପ୍ରଦାନ କରିଥିଲେ । ସେବେଠାରୁ ସାରା ରାଜ୍ୟରେ ପାର୍ଟିର ମୁଖ୍ୟ ଓ ବିଭିନ୍ନ ଶାଖା କାର୍ଯ୍ୟାଳୟ ବିଲ୍ଡିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି । ଉଭୟ ଗୋଷ୍ଠୀ କାର୍ଯ୍ୟାଳୟକୁ ନିଜର ବୋଲି ଦାବି କରୁଛନ୍ତି । ଏହାରି ମଧ୍ୟରେ ନିର୍ବାଚନ ଆୟୋଗଙ୍କ ଠାରୁ ଅନୁମତି ପାଇଥିବା ସିନ୍ଦେ ଗୋଷ୍ଠୀ ଦଳର ମୁଖ୍ୟ କାର୍ଯ୍ୟାଳୟକୁ ଦଖଲକୁ ନେଇଛି । ବଜେଟ୍ ଅଧିବେଶନ ପୂର୍ବରୁ ଶିବସେନାର ‘ଧନୁ ଏବଂ ତୀର’ ନିର୍ବାଚନୀ ପ୍ରତୀକରେ ଲଢି ନିର୍ବାଚିତ ସମସ୍ତ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ଚଳିତ ବର୍ଷ ଅକ୍ଟୋବରରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।