ମୁମ୍ବାଇ:ଅଭିନେତ୍ରୀ ତୁନିଶା ଶର୍ମା ସନ୍ଦେହଜନକ ମୃତ୍ୟୁ ମାମଲାରେ ଜାମିନ ପାଇଲେ ଅଭିଯୁକ୍ତ ସିଜାନ ଖାନ । ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କାର ମୁଚାଲିକାରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ତଦନ୍ତରେ ସହଯୋଗ କରିବା ସହ ଦେଶ ଛାଡି ଯିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ସେହିପରି ତାଙ୍କର ପାସପୋର୍ଟ ପୋଲିସ ନିକଟରେ ଜମା କରିବାକୁ ମଧ୍ୟ ବେଲ ଅର୍ଡର ସର୍ତ୍ତରେ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଗତବର୍ଷ ଡିସେମ୍ବରରେ 20 ବର୍ଷୀୟା ଅଭିନେତ୍ରୀ ତୁନିଶା ଶର୍ମାଙ୍କର ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଥିଲା । ଏକ ଟିଭି ସୋ ରେ ଅଭିନୟ କରୁଥିବା ତୁନିଶାଙ୍କର ସୁଟିଂ ସେଟର ଏକ ଶୌଚାଳୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଏହି ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ଚର୍ଚ୍ଚା ଜୋର ଧରିଥିଲା । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ସେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ତେବେ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଇଥିଲା ।
ପରେ ଏନେଇ ତୁନିଶାଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ତୁନିଶାଙ୍କ ସହ ଡେଟିଂ କରୁଥିବା ପୁରୁଷ ବନ୍ଧୁ ସିଜାନ ଖାନଙ୍କ ବିରୋଧରେ ଅଭିଯୋଗ ଆଣି ଏତଲା ଦେଇଥିଲେ ତୁନିସାଙ୍କ ମା’ । ସିଜାନ ତାଙ୍କ ଝିିଅ ତୁନିସାଙ୍କୁ ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାରମ୍ବାର ବାଧ୍ୟ କରୁଥିବା ଅଭିଯୋଗ କରିଥିଲେ ତୁନିସାଙ୍କ ମା’ ବନିତା ଶର୍ମା । କେବଳ ଧର୍ମ ପରିବର୍ତ୍ତନ ନୁହେଁ ବରଂ ବାରମ୍ବାର ନିଶା ସେବନ କରି ସେ ତୁନିସାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ସେ ଅଭିଯୋଗ ମଧ୍ୟ କରିଥିଲେ । ଅଭିଯୋଗ ଆଧାରରେ ସିଜାନଙ୍କୁ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା-୩୦୬ ରେ ମାମଲା ରୁଜୁ କରିଥଲା ପୋଲିସ ।
ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇବା ଓ ସେପରି ପାରିପାର୍ଶ୍ବିକ ସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ପୋଲିସ ସିଜାନଙ୍କୁ ଗିରଫ କରି ସ୍ଥାନୀୟ ଭସାଇ କୋର୍ଟ ଚାଲାଣ କରିଥିଲା । ବେଲ ନାମାଞ୍ଜୁର ହେବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ଆଜି ଏହି ମାମଲାର ଶୁଣାଣିରେ ସେ ସର୍ତ୍ତମୂଳକ ବେଲ ପାଇବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ଥାନାରେ ପାସପୋର୍ଟ ଦାଖଲ କରିବା ସହ ତଦନ୍ତରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ