ନୂଆଦିଲ୍ଲୀ: ରାଜଧାନୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଶନିବାର ଦିନ ନୂଆଦିଲ୍ଲୀ ଘୋଷଣାପତ୍ରକୁ ଗୃହୀତ କରାଇ ଭାରତ ଇତିହାସ ରଚିଛି । ୟୁକ୍ରେନ-ଋଷ ଯୁଦ୍ଧ ସତ୍ତ୍ବେ ଦିଲ୍ଲୀ ଘୋଷଣାପତ୍ରରେ ସବୁ ରାଷ୍ଟ୍ର ସହମତ ହେବାକୁ ଭାରତର ବଡ କୂଟନୈତିକ ବିଜୟ ଭାବେ ଦେଖାଯାଉଛି । ଏ କଥାକୁ ବିରୋଧି ଦଳ ନେତା ମଧ୍ୟ ସ୍ବୀକାର କରିଛନ୍ତି । କଂଗ୍ରେସ ନେତା ଶଶି ଥରୁର ରବିବାର ଜି-୨୦ ସଦସ୍ୟଙ୍କ ଦିଲ୍ଲୀ ଘୋଷଣାନାମାକୁ ପ୍ରଶଂସା କରି କହିଛନ୍ତି, ''ଏହା ଯେ ଭାରତର ଏକ ବଡ କୂଟନୈତିକ ବିଜୟ, ଏଥିରେ କୌଣସି ସନ୍ଦେହ ନାହିଁ । ଜି-୨୦ ସମ୍ମିଳନୀ ଡକାଯିବା ପର୍ଯ୍ୟନ୍ତ ସେଥିରେ କୌଣସି ପ୍ରକାର ବୁଝାମଣା ସମ୍ଭବପର ନୁହେଁ ବୋଲି ଦୃଢ ଆଶା ରହିଥିଲା । କିନ୍ତୁ ଶତ ପ୍ରତିଶତ ସହମତିରେ ଏହା ମଞ୍ଜୁର ହେବା ଭାରତ ପାଇଁ ବଡ ଉପଲବ୍ଧି ।''
ରବିବାର ନ୍ୟୁଜ ଏଜେନ୍ସି ANI ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଥରୁର ଦିଲ୍ଲୀ ଘୋଷଣାନାମା ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, କୌଣସି ପ୍ରସଙ୍ଗରେ ସବୁ ରାଷ୍ଟ୍ର ସହମତ ହେବା ସାଧାରଣତଃ ସମ୍ଭବପର ହୁଏନି । ଜଣେ ବି ରାଷ୍ଟ୍ର ଘୋଷଣାପତ୍ରକୁ ବିରୋଧ କରିଥିଲେ ଏହା ଗୃହୀତ ହୋଇପାରି ନଥାନ୍ତା । ତେଣୁ ଭାରତ କେବଳ ଜି-୨୦ରେ ଅଧ୍ୟକ୍ଷତା କରିବ ଏବଂ ଏଥିରେ କୌଣସି ପ୍ରକାର ବୁଝମଣା ହେବନି ବୋଲି ଆଶା କରାଯାଉଥିଲା । ଏପରି ସ୍ଥଳେ ଦିଲ୍ଲୀ ଘୋଷଣାପତ୍ର ମଞ୍ଜୁର ହେବା ଭାରତ ପାଇଁ ଏକ କୂଟନୈତିକ ବିଜୟ ନିଶ୍ଚୟ ।