ନୂଆଦିଲ୍ଲୀ:୨୦୧୯ ଜାମିଆ ହିଂସା ମାମଲାରେ ଶର୍ଜିଲ ଇମାମ ଓ ଆସିଫ୍ ଇକବଲ ତନହାଙ୍କୁ ବଡ ଆଶ୍ବସ୍ତି ମିଳିଛି । ଦିଲ୍ଲୀର ଏକ କୋର୍ଟ ଜାମିଆ ହିଂସା ଘଟଣାରେ ଦୁହିଁଙ୍କୁ ଦୋଷମୁକ୍ତ କରିଛନ୍ତି । ଶର୍ଜିଲ ଦୋଷମୁକ୍ତ ହୋଇଥିଲେ ହେଁ ୨୦୨୦ ଉତ୍ତର ଦିଲ୍ଲୀ ଦଙ୍ଗା ମାମଲାରେ ତାଙ୍କୁ ଜେଲ୍ରେ ରହିବାକୁ ପଡିବ । ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ଓ ପୋଲିସ ମଧ୍ୟରେ ସଂଘର୍ଷ ପରେ ହିଂସା ସୃଷ୍ଟି ପାଇଁ ଷଡଯନ୍ତ୍ର ରଚିବା ଅଭିଯୋଗରେ ଦିଲ୍ଲୀ ପୋଲିସ ଶର୍ଜିଲ ବିରୁଦ୍ଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା ।
ଦିଲ୍ଲୀ ପୋଲିସ ସୂଚନା ଅନୁସାରେ, ନ୍ୟୁ ଫ୍ରେଣ୍ଡସ କଲୋନୀ ଅଞ୍ଚଳରେ କିଛି ଲୋକେ ନାଗରିକତ୍ବ ସଂଶୋଧନ ଆଇନ(CAA) ଏବଂ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ(NRC) ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ଘଟଣାର ତଦନ୍ତରୁ ଜଣାପଡିଥିଲା ଯେ, ୨୦୧୯ ଡିସେମ୍ବର ୧୩ ତାରିଖରେ ଜବହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ଶର୍ଜିଲ ଇମାନ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ହିଂସା ସୃଷ୍ଟି କରିବା ଭଳି ଭାଷଣ ଦେଇଥିଲେ । ତାଙ୍କର ଏହି ଭାଷଣ ହିଂସାକୁ ପ୍ରଶୟ ଦେଇଥିଲା ଏବଂ ଏହାପରେ ଡିସେମ୍ବର ୧୫ରେ ବିକ୍ଷୋଭକାରୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।