ଓଡିଶା

odisha

ETV Bharat / bharat

ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେ ଏନସିପିର କାର୍ଯ୍ୟକାରୀ ସଭାପତି

ଦଳ ପାଇଁ ଦୁଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କଲେ ଶରଦ ପାଓ୍ବାର । ଝିଅ ସୁପ୍ରିୟା ସୁଲେ ଓ ପ୍ରଫୁଲ୍ଲ ପଟେଲ ଏନସିପିର କାର୍ଯ୍ୟକାରୀ ସଭାପତି । ଦଳର 25ତମ ପ୍ରତିଷ୍ଠା ଦିବସରେ ଦିଲ୍ଲୀରେ ପାଓ୍ବାରଙ୍କ ଘୋଷଣା । ଅଧିକ ପଢନ୍ତୁ

ପାଓ୍ବାର ବାଣ୍ଟିଲେ ପାଓ୍ବାର: ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେ ଏନସିପିର କାର୍ଯ୍ୟକାରୀ ସଭାପତି
ପାଓ୍ବାର ବାଣ୍ଟିଲେ ପାଓ୍ବାର: ପ୍ରଫୁଲ୍ଲ ପଟେଲ ଓ ସୁପ୍ରିୟା ସୁଲେ ଏନସିପିର କାର୍ଯ୍ୟକାରୀ ସଭାପତି

By

Published : Jun 10, 2023, 4:55 PM IST

ନୂଆଦିଲ୍ଲୀ:ବରିଷ୍ଠ ଏନସିପି ନେତା ତଥା ରାଜ୍ୟସଭା ସାଂସଦ ପ୍ରଫୁଲ୍ଲ ପଟେଲ ଓ ସାଂସଦ ସୁପ୍ରିୟା ସୁଲେଙ୍କୁ ଏନସିପିର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ମିଳିଛି । ଦଳ ମୁଖ୍ୟ ଶରଦ ପାଓ୍ବର ଆଜି ଏନେଇ ଘୋଷଣା କରିଛନ୍ତି । ଆଜି ଦଳର 25ତମ ପ୍ରତିଷ୍ଠା ପାଳନ ଅବସରରେ ଦିଲ୍ଲୀରେ ଏହି ଘୋଷଣା କରିଛନ୍ତି 82 ବର୍ଷୀୟ ଶରଦ ପାଓ୍ବାର । କିଛି ଦିନ ତଳେ ସେ ଅଚାନକ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାଂସଦ ଝିଅ ସୁପ୍ରିୟା ସୁଲେ କିମ୍ବା ପୁତୁରା ଅଜିତ ପାଓ୍ବାରଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ପରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଅନୁରୋଧରେ ଇସ୍ତଫା ଫେରାଇ ନେଇଥିଲେ । ହେଲେ ମାତ୍ର କିଛି ଦିନ ବ୍ୟବଧାନରେ ସେ ଦଳ ପାଇଁ ଦୁଇ କାର୍ଯ୍ୟକାରୀ ସଭାପତି ଚୟନ କରି ଦାୟିତ୍ବ ବାଣ୍ଟିଛନ୍ତି ।

1999 ରେ ଶରଦ ପାଓ୍ବର ଓ ପି.ଏ ସାଙ୍ଗମାଙ୍କ ନେତୃତ୍ବରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ପ୍ରତିଷ୍ଠା କରାଯାଇଥିଲା । ଆଜି ଦଳ 25 ବର୍ଷରେ ପଦାର୍ପଣ କରିଛି । ଆଜି ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଦଳ ମୁଖ୍ୟ ପାଓ୍ବାର ଏହି ଘୋଷଣା ମାଧ୍ୟମରେ ଦୁଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଛନ୍ତି । ଶରଦଙ୍କ ଝିଅ ସୁପ୍ରିୟା ଏବେ ପୁଣେର ବାରମତି ଲୋକସଭା ଆସନରୁ ସାଂସଦ ରହିଛନ୍ତି । ସେହିପରି ଅନ୍ୟତମ କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ପଟେଲ ଏବେ ରାଜ୍ୟସଭା ସାଂସଦ ରହିଛନ୍ତି ।

53 ବର୍ଷୀୟା ସୁପ୍ରିୟା ସୁଲେ, ଆଗକୁ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ମହାରାଷ୍ଟ୍ର, ପଞ୍ଜାବ, ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଦଳ ତାଙ୍କ ନେତୃତ୍ବରେ ଲଢିବ । ସେହିପରି ସେ 2024 ସାଧାରଣ ନିର୍ବାଚନରେ ମଧ୍ୟ ଦଳ ପାଇଁ କାର୍ଯ୍ୟ କରିବେ । ଏହା ସହ ତାଙ୍କୁ ଦଳର ମହିଳା ଓ ଯୁବ ଶାଖା ଦାୟିତ୍ବ ମଧ୍ୟ ମିଳିଛି । ସେହିପରି ରାଜ୍ୟସଭା ସାଂସଦ ଥିବା ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ ମଧ୍ୟ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ଝାରଖଣ୍ଡ ଓ ଗୋଆରେ ସଂଗଠନର ଦାୟିତ୍ବ ସମ୍ଭାଳିବେ । ଶରଦଙ୍କ ଏହି ଘୋଷଣା ପରେ ଦଳର ଅନ୍ୟତମ ବରିଷ୍ଠ ନେତା ଛଗନ ଭୁଜବଳ କହିଛନ୍ତି, ଆଗକୁ ନିର୍ବାଚନ ଆସୁଛି । ତେଣୁ ରାଜ୍ୟସଭା, ଲୋକସଭା ଓ ନିର୍ବାଚନ କାର୍ଯ୍ୟ ସରଳ ହେବା ନେଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁଇ କାର୍ଯ୍ୟକାରୀ ସଭାପତି ନିଯୁକ୍ତି ଫଳରେ 2024 ଲୋକସଭା ନିର୍ବାଚନକୁ ପରିଚାଳନା କରିବାରେ ସହଜ ହେବ ।

କିଛି ଦିନ ପୂର୍ବରୁ ଶରଦ ପାଓ୍ବାର ପାଓ୍ବାର ସୋ’ ଦେଖାଇଥିଲେ । ହଠାତ ଦଳର ସଭାପତି ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ ଶରଦ । ହେଲେ ଦଳ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲା । କାର୍ଯ୍ୟକର୍ତ୍ତାଙ୍କ ପ୍ରତିବାଦ ସହ ଅନୁରୋଧ ପରେ 3 ଦିନର ସମୀକ୍ଷା ପରେ ନିଜ ନିଷ୍ପତ୍ତିରେ ପରିବର୍ତ୍ତନ କରି ଇସ୍ତଫା ଫେରାଇ ନେଇଥିଲେ ଶରଦ । ସେତେବେଳେ ତାଙ୍କ ପୁତୁରା ଅଜିତ ପାଓ୍ବାରଙ୍କୁ ନେଇ ଚର୍ଚ୍ଚା ହେଉଥିଲା । ଅଜିତ ନିଜର କିଛି ସମର୍ଥିତ ବିଧାୟକଙ୍କ ସହ ବିଜେପିରେ ସାମିଲ ହେବା ପାଇଁ ଉଦ୍ୟମ କରୁଥିବା ଯୋଗୁ ପାଓ୍ବାର ଏପରି କରିଥିଲେ ବୋଲି ଚର୍ଚ୍ଚା ହୁଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details