ମୁମ୍ବାଇ: ନ୍ୟାସନାଲ କଂଗ୍ରେସ ପାର୍ଟି(NCP) ସୁପ୍ରିମୋ ଶରଦ ପାୱାରଙ୍କୁ ହତ୍ୟା ଧମକ । ଏନସିପି ସାଂସଦ ତଥା ଝିଅ ସୁପ୍ରିୟା ସୁଲେଙ୍କ ହ୍ବାର୍ଟ୍ସଆପରେ ଧମକ ମିଳିଛି । ଏକ ଅଜଣା ୱେବସାଇଟରୁ ତାଙ୍କ ହ୍ବାର୍ଟ୍ସଆପକୁ ଏଭଳି ଧମକପୂର୍ଣ୍ଣ ମେସେଜ ଆସିଛି । ବାପାଙ୍କୁ ଏମିତି ଧମକ ମିଳିବା ନେଇ ସୁପ୍ରିୟା ଥାନାରେ ଅଭିଯୋଗ କରିବା ସହ ମାମଲାରେ ମହାରାଷ୍ଟ୍ର ସରକାର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡିଛନ୍ତି ।
ସୁପ୍ରିୟା ସୁଲେ ସମ୍ବାଦ ସରବରାହ ସଂସ୍ଥା ANIକୁ କହିଛନ୍ତି, ଶରଦ ପାୱାରଙ୍କୁ ହତ୍ୟା ପାଇଁ ମୋ ହ୍ବାର୍ଟ୍ସଆପକୁ ଏକ ମେସେଜ ଆସିଛି । ଗୋଟିଏ ୱେବସାଇଟରୁ ମେସେଜଟି ମିଳିଛି । ତେଣୁ ନ୍ୟାୟ ପାଇଁ ମୁଁ ପୋଲିସ ପାଖରେ ପହଞ୍ଚିଛି ଏବଂ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ନିବେଦନ କରିଛି । ହତ୍ୟା ଧମକ ଦେବା ଭଳି ଘୃଣ୍ୟ ରାଜନୀତି ବନ୍ଦ ହେବା ଉଚିତ୍ । ଶରଦ ପାୱରଙ୍କ ସୁରକ୍ଷା ଗୃହ ମନ୍ତ୍ରଣାଳୟର ଦାୟିତ୍ବ । ତେଣୁ ଏହି ମାମଲାରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଶାହା ହସ୍ତକ୍ଷେପ କରିବା ଉଚିତ୍ । ମୁଁ ପୋଲିସକୁ ଧମକପୂର୍ଣ୍ଣ ମେସେଜ ସମ୍ପର୍କରେ ଜଣାଇଛି ଏବଂ ସେମାନେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ।