ମୁମ୍ବାଇ:ଏନସିପିରେ ବିଦ୍ରୋହ ପରେ ଆଜି (ଗୁରୁବାର) ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀରେ ଶକ୍ତି ଦେଖାଇଛନ୍ତି ସିନିୟର ପାଓ୍ବାର । ପୁତୁରାଙ୍କ ବୟସ ମନ୍ତବ୍ୟକୁ ନେଇ ସିଧା ହାମଲା କରିଛନ୍ତି । ବୟସ 82 ବର୍ଷ ହେଉ କି 92 ବର୍ଷ ସେହିଁ ହେଉଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ଗତକାଲି ସମର୍ଥକକୁ ସମ୍ବୋଧିତ କରି ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ଅଜିତ କହିଥିଲେ, ସମସ୍ତ ରାଜନୈତିକ ଦଳରେ ଅବସର ଗ୍ରହଣ କରିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି । ହେଲେ ଶରଦ ପାଓ୍ବାର ଦାୟିତ୍ବ ଛାଡୁ ନାହାନ୍ତି । ବୟସ 82 ହେଲାଣି ହେଲେ ତଥାପି ସେ ନୂଆ ପିଢିକୁ ନେତୃତ୍ବ ପାଇଁ ବାଟ ଛାଡୁନାହାନ୍ତି । ଅଜିତଙ୍କ ଏପରି ମନ୍ତବ୍ୟ ପରେ ଆଜି ଦଳର କାର୍ଯ୍ୟକାରିଣୀରେ ସିଧା ପ୍ରତିଜବାବ ରଖିଛନ୍ତି ଦାଦା ଶରଦ । ବୟସ ଯେତେ ହେଲେ ମଧ୍ୟ ସେ ହିଁ ଦଳର ସୁପ୍ରିମୋ ବୋଲି ସିଧା ଶୁଣାଇ ଦେଇଛନ୍ତି ପାର୍ଟିର ପ୍ରତିଷ୍ଠାତ ମୁଖ୍ୟ ଶରଦ ପାଓ୍ବାର ।
ଆଜି (ଗୁରୁବାର) ଦଳର କାର୍ଯ୍ୟକାରିଣୀ ବୈଠକ ପରେ ଶରଦ କହିଛନ୍ତି, ପ୍ରଫୁଲ୍ଲ ପଟେଲ, ସୁନୀଲ ତାଟକେରେ ଏବଂ ଏନଡିଏ ସହ ହାତ ମିଳାଇଥିବା ଅନ୍ୟ 9ଜଣଙ୍କୁ ବହିଷ୍କାର କରିବାକୁ ଏହି ବୈଠକ ପ୍ରସ୍ତାବ ଅନୁମୋଦନ କରାଯାଇଛି । ଏଠାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ନେତା ପିସି ଚାକୋ କହିଛନ୍ତି, ଏହି ସଭାରେ ମୋଟ 8 ଟି ସଂକଳ୍ପ ପାରିତ ହୋଇଛି । ସତ ନିଶ୍ଚିୟ ସାମ୍ନାକୁ ଆସିବ । ଏବେ ମଧ୍ୟ ପୁରା ସଂଗଠନ ଶରଦ ପୱାରଙ୍କ ସହ ରହିଛି ।
ଆଜି ଦିଲ୍ଲୀ ସ୍ଥିତ ଶରଦ ପାୱାରଙ୍କ ବାସଭବନରେ ଏନସିପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଶରଦ ପାୱାରଙ୍କ ସହ ତାଙ୍କ ସାଂସଦ ଝିଅ ତଥା ଦଳର କାର୍ଯ୍ୟକାରୀ ସଭାନେତ୍ରୀ ସୁପ୍ରିୟା ସୁଲେ, ଜିତେନ୍ଦ୍ର ଆୱାଜ ଏବଂ ଅନ୍ୟ ଏକାଧିକ ନେତା ଉପସ୍ଥିତ ଥିଲେ । ଏହି ବୈଠକ ପରେ ଶରଦ ଏହା ସ୍ପଷ୍ଟ କରିଛନ୍ତି ଯେ, ବିଦ୍ରୋହୀଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସବୁ ପରିସ୍ଥିତିରେ ଦଳ ତାଙ୍କ ରହିଛି ଓ ସେ ହିଁ ଦଳର ସର୍ବୋଚ୍ଚ ନେତା ।