ନୂଆଦିଲ୍ଲୀ: 22 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦେଶବ୍ୟାପୀ ସାଧୁସନ୍ଥ ସାମିଲ ହେବାକୁ ନିମନ୍ତ୍ରିତ ହୋଇଛନ୍ତି । ହେଲେ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନାହିଁ ସନାତନ ଧର୍ମର 4 ଆଦିପୀଠ ମଧ୍ୟରୁ ଅନ୍ୟତନ ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ । ସେ ଏହି କାର୍ଯ୍ୟକ୍ରମର ଆୟୋଜନ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ସିଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠାକୁ ନାପସନ୍ଦ କରିଛନ୍ତି ଗୁରୁଜୀ । " ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାମଲାଲାଙ୍କ ବିଗ୍ରହକୁ ସ୍ପର୍ଷ କରାଯିବା ଶାସ୍ତ୍ର ସମ୍ମତ ନୁହେଁ । ତାଙ୍କ (ଶଙ୍କରାଚାର୍ଯ୍ୟ) ପଦର କିଛି ମର୍ଯ୍ୟାଦା ରହିଛି । ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେନାହିଁ ବୋଲି ଅସନ୍ତୋଷ ସହ ସେ ସ୍ପଷ୍ଟ କରିଛନ୍ତି ।"
ମଧ୍ୟ ପ୍ରଦେଶ ରତଲାମରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ସେ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଉତ୍ତର ରଖି ଏହି କ୍ଷୋଭ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଗ୍ରହ ସ୍ପଷ୍ଟ କରି ଏହାର ସ୍ଥାପନା କରିବେ, ସେ କ’ଣ କାର୍ଯ୍ୟକ୍ରମରେ କରତାଳି ମାରିବେ ବୋଲି କହିଛନ୍ତି ଗୁରୁଜୀ । ପ୍ରଭୁ ଶ୍ରୀରାମଙ୍କର ପ୍ରାଣପ୍ରତିଷ୍ଠା ପ୍ରକ୍ରିୟା ସମ୍ପୂର୍ଣ୍ଣ ଶାସ୍ତ୍ର ସମ୍ମତ ବିଧି ଦ୍ବାରା ହେବା ଉଚିତ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ବିଗ୍ରହ ସ୍ପର୍ଶ କରାଯିବା ସମ୍ପୂର୍ଣ୍ଣ ଅନୁଚିତ । ତାଙ୍କ ପଦର କିଛି ଗରିମା ରହିଛି । ତେଣୁ ସେ ଏହି ବ୍ୟତିକ୍ରମର ସାକ୍ଷୀ ହୋଇପାରିବେ ନାହିଁ । ତେଣୁ ସେ କାର୍ଯ୍ୟକ୍ରମକୁ ଯାଉନାହାନ୍ତି । ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ପ୍ରଶ୍ନରେ ଗୁରୁଜୀ କହିଛନ୍ତି, ତାଙ୍କୁ ମାତ୍ର ଜଣେ ସହଯୋଗୀଙ୍କ ସହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ମାତ୍ର ସେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ପାଇଁ ଅଯୋଧ୍ୟା ଯାଉନାହାନ୍ତି ।