ନୂଆଦିଲ୍ଲୀ: କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ବିବାଦ ମଧ୍ୟରେ ନିକଟରେ ଭାରତରେ ଆୟୋଜିତ ହେବାକୁ ଯାଉଛି କ୍ରିକେଟ ବିଶ୍ବକପ-2023 । ବିଶ୍ବକପ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀର କିଛି ସ୍ଥାନରେ ଖଲିସ୍ତାନୀ ସମର୍ଥିତ ପୋଷ୍ଟର ଓ ସ୍ଲୋଗାନ ଲେଖାଯାଇଥିବା ଦେଖାଯାଇଛି । ଭାରତରେ ଆତଙ୍କବାଦୀ ଘୋଷିତ ତଥା ପ୍ରତିବନ୍ଧିତ ସଂଗଠନ ‘ଶିଖ ଫର ଜଷ୍ଟିସ’ (SFJ)ର ସଦସ୍ୟଙ୍କ ଦ୍ବାରା ଏହି ପୋଷ୍ଟର ଲଗାଯାଇଥିବା ସନ୍ଦେହରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ସୁରକ୍ଷା ବଢିଛି ।
ଅନ୍ୟପଟେ ‘ଶିଖ ଫର ଜଷ୍ଟିସ’ର କାର୍ଯ୍ୟକର୍ତ୍ତା ତଥା ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁନ ଏକ ଭିଡିଓ ଜାରି କରି ଦିଲ୍ଲୀରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଧମକ ଦେଇଛି । କାନାଡାରେ ନିଜ୍ଜାରର ହତ୍ୟା ପାଇଁ ସେ ସିଧା ଭାରତକୁ ଦାୟୀ କରିଛି । ପଞ୍ଜାବର ଯୁବବର୍ଗଙ୍କୁ ଖଲିସ୍ତାନୀ ସଂଗ୍ରାମରେ ଯୋଗ ଦେବା ପାଇଁ ମଧ୍ୟ ସେ ପ୍ରୋତ୍ସାହିତ କରିବାକୁ ପ୍ରୟାସ କରିଛି ।
ଏହା ବ୍ୟତୀତ ବ୍ରିଟେନର ଏକାଧିକ ଅଜଣା ନମ୍ବରରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନକୁ କଲ ଆସିଛି । ଏହି କଲରେ ଏକ ଅଟୋ ରେକର୍ଡ ଅଡିଓ ମେସେଜ ରହିଛି । ଯେଉଁଥିରେ କାନାଡାରେ ଆତଙ୍କବାଦୀ ନିଜ୍ଜାରର ହତ୍ୟାକୁ ଦର୍ଶାଯାଇଛି । ଅଡିଓରେ କୁହାଯାଇଛି, ‘‘ଶହୀଦ ନିଜ୍ଜାରଙ୍କ ହତ୍ୟା ବିରୋଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବୁ । ବୁଲେଟର ଜବାବ ବାଲାଟରେ ଦିଆଯିବ । ଏହି ଅକ୍ଟୋବରରେ କେବଳ ବିଶ୍ୱ କ୍ରିକେଟ୍ କପ ଆରମ୍ଭ ହେବ ନାହିଁ ବରଂ ବିଶ୍ୱ ଟେରର କପ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।’’ ଏହି ବାର୍ତ୍ତାକୁ SFJ ଜେନେରାଲ କାଉନସିଲ୍ ସଦସ୍ୟ ତଥା ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁନର ବାର୍ତ୍ତା ଭାବେ ଦର୍ଶାଯାଇଛି ।