ନୂଆଦିଲ୍ଲୀ:ବିଶ୍ବର ସଫଳ ବ୍ୟବସାୟୀ ଏଲନ ମସ୍କ (Elon Musk)ଙ୍କ ବିରୋଧରେ ଆସିଲା ବଡ଼ ଅଭିଯୋଗ । ପ୍ରାଇଭେଟ ଜେଟ୍ରେ ଯାତ୍ରା କରିବା ସମୟରେ ମହିଳା କର୍ମଚାରୀ(Air Hostess)ଙ୍କ ଯୌନ ଶୋଷଣ କରିଥିଲେ । ଏହି ଘଟଣାର ରଫାଦଫା କରିବା ପାଇଁ ସେ ମହିଳା କର୍ମଚାରୀଙ୍କୁ ୨୦୧୮ ମସିହାରେ ୨ କୋଟି ଟଙ୍କା ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି ମହିଳା ଜଣକ ଏଲନ ମସ୍କଙ୍କ SpaceX ରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି ।
ଏକ ରିପୋର୍ଟ ଅନୁସାରେ ମହିଳା କର୍ମଚାରୀ ଜଣକ SpaceXରେ କର୍ପୋରେଟ ଜେଟରେ କ୍ୟାବିନ କ୍ରୁ ମେମ୍ବର ଭାବେ କାର୍ଯ୍ୟ କରୁଥିଲେ । ସେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇବା ପରେ ସେ କାମ କରୁଥିଲେ । ଏଲନ ମସ୍କ ମହିଳା କର୍ମଚାରୀଙ୍କୁ ପ୍ରାଇଭେଟ ପାର୍ଟ ଦେଖାଇବା ସହିତ ବିନା ଅନୁମତିରେ ତାଙ୍କୁ ସ୍ପର୍ଶ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ଗତ ୨୦୧୬ ମସିହାରେ ଘଟିଥିଲା । ମହିଳା କର୍ମଚାରୀଙ୍କ ଜଣେ ବନ୍ଧୁ ଏହି ଅଭିଯୋଗଗୁଡିକୁ ଏକ ଘୋଷଣା ପତ୍ରରେ ଉଲ୍ଲେଖ କରିଛନ୍ତି ।
ଏହି ଘୋଷଣା ପତ୍ର ମହିଳା କର୍ମଚାରୀଙ୍କ ସମର୍ଥନରେ ପ୍ରସ୍ତୁତ କରାଯାଇଛି । ଘୋଷଣାପତ୍ର ଅନୁସାରେ ମହିଳା କର୍ମଚାରୀ କହିଛନ୍ତି ଯେ ଯେତେବେଳେ ସେ ଫ୍ଲାଇଟ ଆଟେଣ୍ଡାଣ୍ଟ ଭାବେ ଚାକିରୀ ଆରମ୍ଭ କରିଥିଲେ ତାଙ୍କୁ ମସାଜ ପ୍ରଫେସନାଲ(Massage Professional) ଲାଇସେନ୍ସ ପାଇଁ ପ୍ରୋତ୍ସାହିତ କରାଯାଇଥିଲା । ଯଦ୍ଦ୍ବାରା ସେ ଏଲନ ମସ୍କଙ୍କୁ ମସାଜ ଦେଇପାରିବେ । ଏହାପରେ ମସ୍କ ଏକ ପ୍ରାଇଭେଟ କ୍ୟାବିନରେ ମହିଳା କର୍ମଚାରୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପାଇଁ କହିଥିବା ଅଭିଯୋଗ ହୋଇଛି । ପୀଡିତା ମହିଳା ନିଜ ନାମକୁ ଗୋପନୀୟ ରଖିବା ପାଇଁ Non-disclosure agreement ରେ ଦସ୍ତଖତ କରିଛନ୍ତି ।
- ପୀଡିତାଙ୍କୁ ଦିଆଯାଇଥିଲା ୨ କୋଟି:-
ମସ୍କଙ୍କ ପ୍ରସ୍ତାବରେ ମହିଳା କର୍ମଚାରୀ ରାଜି ହୋଇନଥିଲେ । ରିପୋର୍ଟ ଅନୁଯାୟୀ, ଏହା ପରେ ମହିଳା କର୍ମଚାରୀଙ୍କୁ ଅନୁଭବ ହୋଇଥିଲା ଯେ ତାଙ୍କୁ କାମ ମାଧ୍ୟମରେ ଦଣ୍ଡିତ କରାଯାଉଛି । ଏହାପରେ ୨୦୧୮ ମସିହାରେ ସେ କମ୍ପାନୀର HR(Human Resource) ବିଭାଗରେ ଅଭିଯୋଗ କରିଥିଲେ । ଏହାପରେ ମହିଳା କର୍ମଚାରୀଙ୍କ ବନ୍ଧୁ ସହିତ କମ୍ପାନୀ ଆଲୋଚନା କରିବା ପରେ ମାମଲା ରଫାଦଫା କରିବା ପାଇଁ କହିଥିଲା । ଏଥିଲାଗି ମହିଳାଙ୍କୁ ଦିଆଯାଇଥିଲା ୨ କୋଟି ଟଙ୍କା ।
- ଏଲନ ମସ୍କଙ୍କ ପ୍ରତିକ୍ରିୟା:-
ଏନେଇ ମସ୍କ କହିଥିଲେ ଯେ, "ଯଦି ମୁଁ ଯୌନ ଶୋଷଣ ଭଳି ଜିନିଷରେ ଲିପ୍ତ ଥାଆନ୍ତି, ତେବେ ମୋର 30 ବର୍ଷର କ୍ୟାରିଅରରେ କାହିଁକି କୌଣସି ମାମଲା ହୋଇନଥିଲା ।" ଏହି ଅଭିଯୋଗକୁ ମସ୍କ ଏକ 'ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ' ବୋଲି କହିଛନ୍ତି । ଏନେଇ ଏଲନ ଟ୍ବିଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।