ଥିରୁଅନନ୍ତପୁରମ:ଯୌନ ଉତ୍ପୀଡ଼ନ ମାମଲାରେ ଆତ୍ମସମର୍ପଣ ପରେ ଗିରଫ ହୋଇଥିବା କରେଳର ଜଣାଶୁଣା ଲେଖକ ତଥା ସାମାଜିକ କର୍ମୀ ସିଭିକ୍ ଚନ୍ଦ୍ରନଙ୍କୁ ଜାମିନ ମିଳିଛି । ତାଙ୍କୁ ପୂର୍ବରୁ ମିଳିଥିବା ଆଗୁଆ ଜାମିନକୁ କେରଳ ହାଇକୋର୍ଟ ରଦ୍ଦ କରି ଦେବା ପରେ ସେ ଆଜି (ମଙ୍ଗଳବାର) ସକାଳେ କେରଳର ଭଦକରା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ (Kerala Writer Civic Chandran arrested) । ପରେ ତାଙ୍କୁ ପୋଲିସ ଗିରଫ କରିବା ସହ ସ୍ଥାନୀୟ କୋଜିକୋଡେ ଶେସନ କୋର୍ଟରେ ହାଜର କରିଥିଲା । କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।
ଚନ୍ଦ୍ରନ ହେଉଛନ୍ତି କେରଳର ଜଣେ ଜଣାଶୁଣା ଲେଖକ ଓ ସାମାଜିକ କର୍ମକର୍ତ୍ତା । ତାଙ୍କର ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଜଣେ ଅନୁସୂଚୀତ ଜାତିର ଲେଖିକାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ସମ୍ପୃକ୍ତ ମହିଳା ଚନ୍ଦ୍ରନଙ୍କ ବିରୋଧରେ ଯୌନ ଉତ୍ପୀଡନର ଅଭିଯୋଗ ଆଣିଥିଲେ । ସିଭିକ ଚନ୍ଦ୍ରନଙ୍କ ନାମରେ ଯୌନ ଉତ୍ପୀଡନ ସହ ଅନୁସୂଚିତ ଜାତି ନିର୍ଯାତନା ନିଷେଧ ଆଇନ ପରି ସଙ୍ଗୀନ ଆକ୍ଟ ମଧ୍ୟ ଲଗାଇଥିଲା ପୋଲିସ ।