ଶ୍ରୀନଗର:ଘାଟିରେ ଆତଙ୍କୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ହ୍ରାସ କରିବା ପାଇଁ ନିୟମିତ ଅପରେସନ ଜାରି ରଖିଛି ଭାରତୀୟ ସୁରକ୍ଷା ବଳ । ଗତବର୍ଷ ପରି ଆତଙ୍କୀ ବିରୋଧୀ ଅପରେସନରେ ବର୍ଷ ଆରମ୍ଭରୁ ମିଳିଛି ସଫଳତା । ଚଳିତ ବର୍ଷ ୮ଟି ଏନକାଉଣ୍ଟରରେ ୧୪ ଆତଙ୍କୀଙ୍କୁ ସଫା କରିବାରେ ସୁରକ୍ଷା ବାହିନୀ ସଫଳ ହୋଇଛି । ଏହି ଆତଙ୍କୀଙ୍କ ମଧ୍ୟରେ ୭ ଜଣ ପାକିସ୍ତାନୀ ଆତଙ୍କୀ ଥିବାବେଳେ ଅନ୍ୟମାନେ ସ୍ଥାନୀୟ ଆତଙ୍କୀ ବୋଲି ସୂଚନା ଦେଇଛନ୍ତି କାଶ୍ମୀର ପୋଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ।
ସୁରକ୍ଷା ବଳର ଆତଙ୍କୀ ନିରୋଧି ଅଭିଯାନ ସମ୍ପର୍କରେ ସବିଶେଷ ସୂଚନା ଦେଇ ଡିଜିପି ସିଂ କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଘାଟିରେ 8 ଟି ଅପରେସନରେ ଅଂଶଗ୍ରହଣ କରିଛି ସୁରକ୍ଷା ବାହିନୀ । ପ୍ରତ୍ୟେକ ଅପରେସନରେ ସୁରକ୍ଷା ବଳକୁ ସଫଳତା ମିଳିଛି । ବର୍ତ୍ତମାନ ସୁଦ୍ଧା ୭ ସୀମାପାର ଆତଙ୍କୀଙ୍କ ସମେତ ମୋଟ ୧୪ ଆତଙ୍କୀଙ୍କୁ ସଫା କରିବାରେ ସୁରକ୍ଷା ବଳ ସକ୍ଷମ ହୋଇଛି ।