ଓ୍ବାଶିଂଟନ: ନ୍ୟୁୟର୍କର ବ୍ରୁକଲିନ୍ର ଏକ ମେଟ୍ରୋ ଷ୍ଟେସନରେ ଗୁଳିକାଣ୍ଡ । ଗ୍ୟାସ ମାସ୍କ ପିନ୍ଧି ଅତର୍କିତ ଗୁଳି ଚଳାଇଲା ଦୁବୃର୍ତ୍ତ । ଷ୍ଟେସନ ଭିତରେ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି ଲୋକେ । ତେବେ ଏଥିରେ 16 ଗୁରୁତର ହୋଇଥିବା ବେଳେ ଏକାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ସ୍ଥାନୀୟ ସମୟ ସକାଳ ପ୍ରାୟ 8ଟା ବେଳେ ଏହି କାଣ୍ଡ ଘଟାଇଛି ଦୁର୍ବୃତ୍ତ । ଏଥିରେ ପ୍ରାୟ 16 ଜଣ ଆହତ ହୋଇଥିବା ପ୍ରାଥମିକ ଭାବେ କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେ ଗ୍ୟାସ୍ ମାସ୍କ ପିନ୍ଧିଥିବା କୁହାଯାଉଛି ।
ଘଟଣା ସମ୍ପର୍କରେ ନ୍ୟୁୁୟୋର୍କ ପୋଲିସ ଟ୍ବିଟରେ ସୂଚନା ଦେଇ କହିଛି, ସହରର 36-ଷ୍ଟ୍ରିଟରେ ଥିବା ଏକ ମେଟ୍ରୋ ଷ୍ଟେସନରେ ଏପରି କାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ସେଠାରେ କୌଣସି ପ୍ରକାର ସକ୍ରିୟ ବିସ୍ଫୋରକ ଜବତ ହୋଇନଥିବା ମଧ୍ୟ ପୋଲିସ ସ୍ପଷ୍ଟ କରିଛି । ଘଟଣା ନେଇ ଆଡଭାଇଜରୀ ଜାରି କରାଯାଇଛି । ଯାତାୟତ ପାଇଁ ଉକ୍ତ ଷ୍ଟ୍ରିଟ ବ୍ୟବହାର ନକରିବା ପାଇଁ କୁହାଯାଇଥିବା ବେଳେ କେବଳ ଜରୁରୀ ସେବାକୁ ଅନୁମତି ଦିଆଯାଇଛି । ଘଟଣାସ୍ଥଳରେ କୌଣସି ଅଫୁଟା ବିସ୍ଫୋଟକ ଥିବା ରିପୋର୍ଟକୁ ମଧ୍ୟ ଖଣ୍ଡନ କରିଛି ନ୍ୟୁୟର୍କ ପୋଲିସ ।