ପାଟନା: ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଦ୍ରୁତଗାମୀ ସ୍କର୍ପିଓ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ଗୋଟିଏ ପରିବାରର । ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଦୁଇଟି ଛୋଟ ଛୁଆ ଅଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି (ବୁଧବାର) ସକାଳ ପ୍ରାୟ ୩ଟା ବେଳେ ରୋହତାସ ଜିଲ୍ଲାର ଶିବସାଗର ଥାନା ଅନ୍ତର୍ଗତ ୨ ନଂ ଜାତୀୟ ରାଜପଥରେ ଏହି ଭୀଷଣ ଦୁର୍ଘଟଣା ଘଟିଛି ।
ଯାହା ସୂଚନା ମିଳିଛି, ମୃତକମାନେ ବିହାର କୈମୁର ଜିଲ୍ଲା କୁଡାରି ଗ୍ରାମ ନିବାସୀ ଅଟନ୍ତି । ସମସ୍ତେ କୌଣସି କାମରେ ପଡୋଶୀ ରାଜ୍ୟ ଝାଡଖଣ୍ଡର ରାଞ୍ଚିକୁ ଯାଇଥିଲେ । ଗତକାଲି ରାତିରେ ରାଞ୍ଚିରୁ ସ୍କର୍ପିଓ ଯୋଗେ ନିଜ ଗାଁକୁ ଫେରୁଥିଲେ । ଶିବସାଗର ଅଞ୍ଚଳର ୨ ନମ୍ବର ଜାତୀୟ ରାଜପଥରେ ଗାଡି ଦ୍ରୁତଗତିରେ ଆଗକୁ ବଢୁଥିଲା । ଏତିକି ବେଳେ ଦୁର୍ଭାଗ୍ୟବଶତଃ ଚାଳକଙ୍କ ଆଖି ଲାଗି ଯାଇଥିଲା । ଫଳରେ ଗାଡି ଦ୍ରୁତଗତିରେ ଥିବାରୁ ସିଧା ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକ ସହ ପଛପଟୁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଗାଡିଟି ପୁରା ଚୁରମାର୍ ହୋଇଯାଇଥିଲା । ଆଜି ସକାଳ ପାଖାପାଖି ୩ଟା ବେଳେ ଏହି ଅଘଟଣ ଘଟିଥିଲା ।
ଏହାମଧ୍ୟ ପଢନ୍ତୁ: Tragic Accident: ଖାଇକୁ ଖସିଲା ଜିପ୍, ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ