ଓଡିଶା

odisha

ETV Bharat / bharat

ଆନ୍ଧ୍ରରେ ଓଲଟିଲା ଟ୍ରାକ୍ଟର: 7 ମହିଳା ମୃତ, ଏକାଧିକ ଆହତ - ଆନ୍ଧ୍ର ପ୍ରଦେଶ ଦୁର୍ଘଟଣା ଖବର

ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରେ କେନାଲକୁ ଖସିଲା ଟ୍ରାକ୍ଟର । ଘଟଣାସ୍ଥଳରେ 7 ମହିଳା ମୃତ । ଏକାଧିକ ଆହତ ହସ୍ପିଟାଲରେ ଭର୍ତ୍ତି । ଅଧିକ ପଢନ୍ତୁ

ଆନ୍ଧ୍ରରେ ଓଲଟିଲା ଟ୍ରାକ୍ଟର: 7 ମୃତ ,ଏକାଧିକ ଆହତ
ଆନ୍ଧ୍ରରେ ଓଲଟିଲା ଟ୍ରାକ୍ଟର: 7 ମୃତ ,ଏକାଧିକ ଆହତ

By

Published : Jun 5, 2023, 5:03 PM IST

ଅମରାବତୀ:ଆନ୍ଧ୍ର ପ୍ରଦଶ ଗୁଣ୍ଟୁର ଜିଲ୍ଲାରେ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହେବା କାରଣରୁ 7 ଜଣ ମହିଳାଙ୍କ ମୃତ୍ୟୁ ଘଟିଛି । ଉକ୍ତ ଟ୍ରାକ୍ଟରରେ ଯାତ୍ରା କରୁଥିବା ଏକାଧିକ ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି । ଏହି ଯାତ୍ରୀମାନେ ଟ୍ରାକ୍ଟର ଡାଲାରେ ଯାତ୍ରା କରୁଥିଲେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଏକ ଶୁଖିଲା କେନାଲ ମଧ୍ୟକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ କିଛି ଯାତ୍ରୀ ଚାପି ହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର ଆରମ୍ଭ କରିବା ସହ ପ୍ରଶାସନକୁ ସୂଚନା ଦେଇଥିଲେ । ପୋଲିସ ଡାକ୍ତରୀ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ଘଟଣାସ୍ଥଳରେ 4 ଜଣ ଓ ହସ୍ପିଟାଲ ନେବା ବାଟରେ ଆଉ 3 ଜଣଙ୍କୁ ମିଶାଇ ମୋଟ 7 ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ଏକାଧିକ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରାକ୍ଟରରେ ମୋଟ କେତେ ଯାତ୍ରୀ ଥିଲେ ଓ କେତେ ଏବେ ସୁଦ୍ଧା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ ।

ପୋଲିସର ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଗୁଣ୍ଟୁର ଜିଲ୍ଲା ପ୍ରତିପାଦୁ ତାଲୁକାର କୋଣ୍ଡେପାଡୁ ଗ୍ରାମର ନିବାସୀ । ଏମାନେ କୌଣସି ଏକ କାର୍ଯ୍ୟ ପାଇଁ ନିକଟବର୍ତ୍ତୀ ଏକ ଗ୍ରାମକୁ ଟ୍ରାକ୍ଟର ଟ୍ରଲିରେ ଯାଉଥିଲେ । ହେଲେ ଟ୍ରାକ୍ଟରଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଶୁଖିଲା କେନାଲରେ ଖସିପଡିଥିଲା । ଏବେ ସୁଦ୍ଧା 7 ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ମୃତକମାନେ ନଗମା, ମେରାମ୍ମା, ରତ୍ନାକୁମାରୀ, ନିର୍ମଳା, ଝାନ୍ସିରାଣୀ, ସୁହାସିନି ଓ ସାଲୋମୀ ଭାବେ ଚିହ୍ନଟ ମଧ୍ୟ ହୋଇଛନ୍ତି । ସମସ୍ତ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ବ୍ୟବଚ୍ଛେଦ ହେବା ପରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ । ହସ୍ପିଟାଲରେ ସ୍ଥାନୀୟ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଛି ।

ଅନ୍ୟପଟେ ଟ୍ରାକ୍ଟର ଟ୍ରଲିରେ ମାତ୍ରାଧିକ ଓ ଅସୁରକ୍ଷିତ ଅବସ୍ଥାରେ ଯାତ୍ରା କାରଣରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିବା ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକେ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପୋଲିସ ସୂଚନା ସଂଗ୍ରହ କରୁଛି । ଏକକାଳୀନ ଦୁର୍ଘଟଣାରେ ଗୋଟିଏ ଅଞ୍ଚଳର ସାତ ଜଣଙ୍କ ପ୍ରାଣହାନୀ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details