ଓଡିଶା

odisha

ETV Bharat / bharat

ଚଳନ୍ତା ବସରେ ନିଆଁ ଲାଗି 26 ଯାତ୍ରୀ ଜୀବନ୍ତ ଦଗ୍ଧ, ସହାୟତା ରାଶି ଘୋଷଣା କଲେ ସିନ୍ଦେ - ମହାରାଷ୍ଟ୍ରରେ ଅଭାବନୀୟ ଘଟଣା

ମହାରାଷ୍ଟ୍ର ବୁଲଧାନାରେ ଚଳନ୍ତା ବସରେ ନିଆଁ ଲାଗି 26 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

several people charred to death
several people charred to death

By

Published : Jul 1, 2023, 6:59 AM IST

Updated : Jul 1, 2023, 2:23 PM IST

several people charred to death

ମୁମ୍ବାଇ:ମହାରାଷ୍ଟ୍ରରେ ଦୁଃଖଦ ଘଟଣା । ଚଳନ୍ତା ବସରେ ନିଆଁ ଲାଗି 26 ଯାତ୍ରୀ ଜୀବନ୍ତ ଦଗ୍ଧ । ବୁଲଧାନାର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ ୱେରେ ଏହି ଦୁଃଖଦ ଘଟଣା ଘଟିଛି । ଯାତ୍ରୀବାହୀ ବସଟି ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା । ଏଥିରେ 33 ଜଣ ଯାତ୍ରୀ ଥିଲେ । 26 ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଛନ୍ତି । 8 ଜଣ ଆହତଙ୍କୁ ବୁଲଧାନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ 3 ଶିଶୁ ରହିଛନ୍ତି ।

ସହାୟତା ରାଶି ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କୁ ମାଗଣା ଚିକିତ୍ସା କରାଯିବା ନେଇ କହିଛନ୍ତି ।

ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଲଧାନ ସହରରେ ଘଟିଥିବା ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 2 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ଓ ଆହତଙ୍କୁ 50 ହଜାର ଲେଖାଏଁ ପ୍ରଦାନ କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ମହାରାଷ୍ଟ୍ରର ୟାଭାଟମାଲରୁ ପୁଣେ ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ବସ । ମୋଟ 33 ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ବିଳମ୍ବିତ ରାତି ପ୍ରାୟ 1ଟା 30 ମିନିଟ ସମୟରେ ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ବସଟି ପହଞ୍ଚିଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଫଳରେ ବସ ଭିତରେ ଥିବା 26 ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ସମସ୍ତେ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରାଯାଇ ବୁଲଧାନା ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏନେଇ ବୁଲଧାନା ପୋଲିସ ଡେପୁଟି ଏସପି ବାବୁରାଓ ମହାମୁନି କହିଛନ୍ତି,'' ବସରେ ମୋଟ 33 ଜଣ ଯାତ୍ରୀ ଯାତ୍ରା କରୁଥିଲେ । ବସରେ ନିଆଁ ଲାଗିବାରୁ 26 ଜଣଙ୍କର ମୃତ୍ୟୁ ହୋଇଛି ଓ 8 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ବୁଲଧାନ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେଉଁ କାରଣରୁ ବସରେ ନିଆଁ ଲାଗିଲା ସେନେଇ ତଦନ୍ତ ଚାଲିଛି ।''ତେବେ ନିଆଁ ଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିବା 26 ମୃତକଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳିପାରିନାହିଁ । ପୋଲିସର ତଦନ୍ତ ପରେ ଅଗ୍ନିକାଣ୍ଡର କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Road Mishap: ନଦୀକୁ ଓଲଟି ପଡିଲା ଟ୍ରକ, ଚାଲିଗଲା ୧୨ ଜୀବନ

ଏନେଇ ବଲଧାନା ଏସପି ସୁନୀଲ କାଣ୍ଡସେନା କହିଛନ୍ତି, ''ବସଟି ନାଗପୁରରୁ ପୁଣେ ଯାଉଥିବା ବେଳେ ବିଳମ୍ବିତ ରାତି ପ୍ରାୟ 1ଟା 30 ସମୟରେ ନିଆଁ ଲାଗିଯାଇଥିଲା । ଡ୍ରାଇଭରର କହିବା ମୁତାବକ ଟାୟାର ଫାଟିଯିବା ପରେ ବସରେ ନିଆଁ ଲାଗିଯାଇଥିଲା । ପରେ ଡିଜେଲ ଟାଙ୍କିରେ ନିଆଁରେ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 3ଜଣ ଶିଶୁ ରହିଛନ୍ତି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ ।''

Last Updated : Jul 1, 2023, 2:23 PM IST

ABOUT THE AUTHOR

...view details