ନୂଆଦିଲ୍ଲୀ:ଲୋକସଭାରୁ ଆଜି 33 ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ସଂସଦ ସୁରକ୍ଷା ବିଭ୍ରାଟ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଏହି ସାଂସଦମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଅଶୋଭନୀୟ ଆଚରଣ ଅଭିଯୋଗ ପାଇଁ ଏମାନଙ୍କ ମଧ୍ୟରୁ 33 ଜଣଙ୍କୁ ଚଳିତ ଶୀତ ଅଧିବେଶନର ଅବଶିଷ୍ଟ କାର୍ଯ୍ୟଦିବସରୁ ନିଲମ୍ବିତ କରିଛନ୍ତି ବାଚସ୍ପତି ଓମ ବିର୍ଲା । ସଂସଦୀୟ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ବାରା ଆଗତ ପ୍ରସ୍ତାବ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି । ଗତ ସପ୍ତାହରେ ସମାନ ଅଭିଯୋଗରେ ଲୋକସଭାରୁ 13 ଓ ରାଜ୍ୟସଭାରୁ ଜଣଙ୍କୁ ମିଶାଇ ମୋଟ 14 ସାଂସଦଙ୍କୁ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା । ଏବେ ଏହି ସଂଖ୍ୟା 47ରେ ପହଞ୍ଚିଛି ।
ଗୃହରେ ଅଶୋଭନୀୟ ଆଚରଣ ଓ ଚେୟାରକୁ ଅସମ୍ମାନ ଅଭିଯୋଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିଲମ୍ବନ ପ୍ରସ୍ତାବ ଆଗତ କରଥିଲେ । ଭଏସ ଭୋଟିଂ ମାଧ୍ୟମରେ ଏହାକୁ ବାଚସ୍ପତି ପାରିତ କରିଥିଲେ । ଆଜି ନିଲମ୍ବିତ ସଦସ୍ୟଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ତଥା ଗୃହରେ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଓ ଦଳର ଉପନେତା ଗୌରବ ଗୋଗଇ ମଧ୍ୟ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଟିଏମସି, ଡିଏମକେ, ଜେଡିୟୁ, ଆରଏସପି ସାଂସଦମାନେ ରହିଛନ୍ତି । ଆଜିର ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପରେ ଉଭୟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା 47ରେ ପହଞ୍ଚିଛି । ବିରୋଧୀ ଏହାକୁ ଅସାମ୍ବିଧାନିକ ବୋଲି କହିଛନ୍ତି । ସେମାନେ ଗୃହରେ ଏହି ବିଭ୍ରାଟ ପ୍ରସଙ୍ଗରେ ଚର୍ଚ୍ଚା ଦାବି କରିବାରୁ ସେମାନଙ୍କୁ ନିଲମ୍ବିତ କରାଯିବା ଯିବା ସମ୍ବିଧାନ ସମ୍ମତ ନୁହେଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।