ନୂଆଦିଲ୍ଲୀ:ପ୍ରାର୍ଥୀ ଘୋଷଣା ହେବା ଦିନରୁ ସାରା ଦେଶରେ ଚର୍ଚ୍ଚାରେ ରହି ଆସିଥିବା ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ, ମତଦାନରେ ମଧ୍ୟ ନିଜର ଲୋକପ୍ରିୟତାର ଝଲକ ଦେଖାଇଛନ୍ତି । ମୁର୍ମୁଙ୍କ ସପକ୍ଷରେ ଦଳ ଦ୍ବାରା ନିର୍ଦ୍ଧାରିତ ନିଷ୍ପତ୍ତି ଉଲ୍ଲଙ୍ଘନ କରି ଭୋଟ ଦେଇଛନ୍ତି ଦେଶର ଏକାଧିକ ରାଜ୍ୟର ବିଧାୟକ । ଏହି ତାଲିକାରେ ଝାଡଖଣ୍ଡ ଓ ଗୁଜୁରାଟର ଏନସିିପି ବିଧାୟକ, ହରିୟାଣା ଓ ଓଡିଶାରେ ମଧ୍ୟ କଂଗ୍ରେସ ବିଧାୟକ ରହିଛନ୍ତି ।
ପଞ୍ଜାବରେ ଅକାଳୀ ବିଧାୟକ ମନପ୍ରୀତ ସିଂ ଆୟାଲି ରାଷ୍ଟ୍ରପତି ନିର୍ବାଚନରେ ମତଦାନ ବର୍ଜନ କରିଛନ୍ତି । ରାଜ୍ୟର ସ୍ବାର୍ଥ ସହ ଜଡିତ ପ୍ରସଙ୍ଗଗୁଡିକର ସମାଧାନ ହୋଇନଥିବା ଦର୍ଶାଇ ସେ ମତଦାନରେ ଅଂଶଗ୍ରହଣ କରିନଥିବା କହିଛନ୍ତି । ସେହିପରି ଆସାମରେ IUDF ବିଧାୟକ କରିମୁଦ୍ଦିନ ବାରବୁଆନ ଭିନ୍ନ ଦାବି କରିଛନ୍ତି । ବିଧାୟକ କରିମୁଦ୍ଦିନ କହିଛନ୍ତି, ଆସାମରେ ପ୍ରାୟ 20ଜଣ କଂଗ୍ରେସ ବିଧାୟକ ଏନଡିଏ ପ୍ରାର୍ଥୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି । ସେହିପରି ଉତ୍ତର ପ୍ରଦେଶରେ ଶିବପାଲ ସିଂ ଯାଦବ ମଧ୍ୟ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ତାଙ୍କ ଭାଇ ତଥା ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବଙ୍କୁ ISI ଏଜେଣ୍ଟ ବୋଲି କଟାକ୍ଷ କରିଥିବା ଯଶୋବନ୍ତ ସିହ୍ନାଙ୍କୁ କେବେ ସମର୍ଥନ କରିବେ ନାହିଁ କହିଥିଲେ ।
ଗତ ମାସରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କାରଣରୁ କଂଗ୍ରେସରୁ ନିଲମ୍ବିତ ହୋଇଥିବା ବିଧାୟକ କୁଲଦ୍ବୀପ ବିଷ୍ଣୋଇ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଅବଶ୍ୟ ବିଷ୍ଣୋଇ ସିଧାସଳଖ ମୁର୍ମୁଙ୍କୁ ଭୋଟ ଦେଇଥିବା ଘୋଷଣା କରିନଥିଲେ ସୁଦ୍ଧା ନିଜ ବିବେକ ଅନୁସାରେ ଭୋଟ ଦେଇଥିବା ପ୍ରତିକ୍ରିୟା ରଖିଛନ୍ତି । ସେହିପରି ଓଡିଶାରେ ମଧ୍ୟ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ମୁର୍ମୁଙ୍କୁ ଭୋଟ ଦେବା ସହ ଏନେଇ ସିଧାସଖ ଗଣମାଧ୍ୟମରେ ପ୍ରକାଶ ମଧ୍ୟ କରିଛନ୍ତି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଜଣେ ଓଡିଆ, ତେଣୁ ସେ ତାଙ୍କୁ ବିବେକ ଅନୁସାରେ ଭୋଟ ଦେଇଥିବା କହିଛନ୍ତି ମହମ୍ମଦ ମୋକିମ । ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରେ ବୋଲି ଚର୍ଚ୍ଚା ହେଉଛି ।