ଅମରାବତୀ:ଆନ୍ଧ୍ରପ୍ରଦେଶରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଟ୍ରକ ଓ ଅଟୋ ମଧ୍ୟରେ ମୁହଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ମୃତାହତ ଶ୍ରମିକ ଅଟନ୍ତି ଓ ଘର ତେଲେଙ୍ଗାନାରେ । କାମ ପାଇଁ ଅଟୋରେ ଯାଉଥିବା ବେଳେ ବାଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଛି । ଆନ୍ଧ୍ର ପାଲନାଡୁ ଜିଲ୍ଲା ଡଚେପାଲ୍ଲୀ ମଣ୍ଡଳ ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆହତ ଶ୍ରମିକମାନଙ୍କୁ ପାଲନାଡୁର ଗୁରୁଜାଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।
ଯାହା ସୂଚନା ମିଳିଛି, ଦୁର୍ଘଟଣା ସମୟରେ ଅଟୋରେ ପାଖାପାଖି ୨୩ ଜଣ ଶ୍ରମିକ ଯାତ୍ରା କରୁଥିଲେ । ସମସ୍ତେ ତେଲେଙ୍ଗାନାର ନାଲଗୋଣ୍ଡା ନିବାସୀ ହୋଇଥିବା ବେଳେ କାମ ସନ୍ଧାନରେ ଆନ୍ଧ୍ର ଆସିଥିଲେ । ସେମାନେ ଗୁରୁଜାଲା ମଣ୍ଡଳର ପୁଲିପାଡୁ ଅଞ୍ଚଳକୁ ଯିବା ବାଟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । ଶ୍ରମିକମାନଙ୍କୁ ନେଇ ଅଟୋଟି ପୁଲିପାଡୁ ଯାଉଥିବା ସମୟରେ ବାଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ 5 ଜଣ ଶ୍ରମିକ ଆଖି ବୁଜିଥିଲେ ଏବଂ ୧୦ ଜଣ ଆହତ ହୋଇଥିଲେ ।
ଏହାମଧ୍ୟ ପଢନ୍ତୁ: ବସ୍-ପିକଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା; ଅଳ୍ପକେ ବର୍ତ୍ତିଲା ୧୧ ଜୀବନ