ବେଙ୍ଗାଲୁରୁ:କର୍ଣ୍ଣାଟକ ତୁମାକୁରୁ ଜିଲ୍ଲାରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ଓ କ୍ରୁଜର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଠାରେ ୯ ଜଣଙ୍କ ମୃତ୍ୟୁ ହୋଇଛି(Lorry-Cruiser Collision) । ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲାର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୁଧବାର ବିଳମ୍ବିତ ରାତିରେ ଟୁମକୁର (Tumakuru) ଜିଲ୍ଲା ଅନ୍ତର୍ଗତ ଶିରା ତାଲୁକା ବଲେନାହାଲ୍ଲି(Balenahalli) ଗେଟ୍ ନିକଟରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ସମସ୍ତ ମୃତକମାନେ ରାଇଚୁର ଜିଲ୍ଲା ନିବାସୀ ଅଟନ୍ତି । ସେମାନେ କାମ ସନ୍ଧାନରରେ କ୍ରୁଜର ଯୋଗ ରାଇଚୁରରୁ ବେଙ୍ଗାଲୁରୁ ସହର ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ସୂଚନା ମୁତାବକ, କ୍ରୁଜରରେ ମୋଟ ୨୦ ଜଣ ଯାତ୍ରୀ ଥିଲେ । ସମସ୍ତେ ଦିନ ମଜୁରିଆ ଅଟନ୍ତି । ସେମାନେ କାମ ପାଇଁ ବେଙ୍ଗାଲୁରୁ ଯାଉଥିବା ବେଳେ ଶିରା ତାଲୁକା ନିକଟ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ କ୍ରୁଜର ସହ ଧକ୍କା ହୋଇଥିଲା । ଏନେଇ ସ୍ଥାନୀୟ କାଲ୍ଲେମବେଲ୍ଲା ଥାନାରେ(Kallembella police station) ଏକ ଏତଲା ଦାୟର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ମଧ୍ୟରେ କେବଳ କ୍ରୁଜର ଯାତ୍ରୀ ନା ଟ୍ରକର କେହି ଯାତ୍ରୀ ଅଛନ୍ତି ତାହା ଯାଞ୍ଚ କରାଯାଉଛି । ଏସପି ମଧ୍ୟ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ।