ଶ୍ରୀନଗର:ଜମ୍ମୁ-କାଶ୍ମୀରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଭୀର ଖାଇକୁ ଖସିଲା କ୍ରୁଜର । ଆଖି ପିଛୁଳାକେ ଚାଲିଗଲା ୭ ଜୀବନ । ଆଜି ସକାଳେ କିସ୍ତୱାର ଜିଲ୍ଲାର ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପ ନିକଟରେ ଭୀଷଣ ସଡକ ଦୁର୍ଘଟଣା ଘଟିଛି । ଏହି ପ୍ରକଳ୍ପରେ କାମ କରୁଥିବା ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ କ୍ରୁଜର ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡିବାରୁ ୭ ଜଣ ପ୍ରାଣ ହରାଇଛନ୍ତି ଏବଂ ଜଣେ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସୂଚନା ଅନୁସାରେ, ଆଜି ସକାଳ ସାଢେ ୮ଟା ସମୟରେ ଦୁଙ୍ଗାଦୂରୁ ଗ୍ରାମ ପାଖରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ସ୍ପଷ୍ଟ କରି କିସ୍ତୱାର ପୋଲିସ କହିଛି, ଶ୍ରମିକଙ୍କୁ ନେଇ ଯାଉଥିବା ଗୋଟିଏ କ୍ରୁଜର ଭାରସାମ୍ୟ ହରାଇ ୩୦୦ ଫୁଟ ଗଭୀର ଖାଇକୁ ଖସିପଡିଛି । କ୍ରୁଜରରେ ୧୦ ଜଣ ଶ୍ରମିକ ଥିଲେ । ସମସ୍ତେ ଦଙ୍ଗଦୂରୁ ଡ୍ୟାମ ପ୍ରକଳ୍ପରେ କାମ କରୁଥିଲେ । ଆଜି ସକାଳେ ଶ୍ରମିକମାନେ ଡଚାନ ଅଞ୍ଚଳରୁ କ୍ରୁଜରରେ ନିର୍ମାଣସ୍ଥଳକୁ ଯାଉଥିବା ସମୟରେ ବାଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
ମୃତକମାନେ ହେଲେ ସୁଦେଶ କୁମାର, ଅଖତର ହୁସେନ, ଅବଦୁଲ ରସିଦ, ମୁସାର ଅହମ୍ମଦ, ଇତଭା, ରାହୁଲ ଏବଂ କରନ । ଦୁର୍ଘଟଣାରେ ଆହତ ଶ୍ରମିକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେହିପରି ମୃତଦେହ ଗୁଡିକୁ ଉଦ୍ଧାର କରାଯାଇ ନିକଟସ୍ଥ ସରକାରୀ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା କିସ୍ତୱାର ଡେପୁଟି କମିଶନର ଡ. ଦେବାଂଶ ଯାଦବ ସୂଚନା ଦେଇଛନ୍ତି ।