ଗୌହାଟୀ: ଆସାମରେ ବଡ ଧରଣର ସଡ଼କ ଦୁର୍ଘଟଣା । ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ପିକନିକ୍ ବସ୍ । ଭୟଙ୍କର ଦୁର୍ଘଟଣାରେ 12ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଛନ୍ତି । ଆଜି(ବୁଧବାର) ଭୋର୍ 5ଟା ବେଳେ ଗୋଲାଘାଟ ଜିଲ୍ଲାରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏନେଇ ଗୋଲାଘାଟ ଏସପି ସୂଚନା ଦେଇଛନ୍ତି ।
ଅଧରାତିରେ କିଛି ଲୋକେ ବସ୍ରେ ପିକନିକ୍ ବାହାରିଥିଲେ । ଭାବିଥିଲେ ସକାଳ ସୁଦ୍ଧା ଗନ୍ତବ୍ୟସ୍ଥଳରେ ପହଞ୍ଚି ହସଖୁସିର ସମୟ ଅତିବାହିତ କରିବେ । ହେଲେ ବାଟରେ ଛପି ବସିଥିଲା ଯମ । ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ମାତ୍ର ଆଉ କେଇ ଘଣ୍ଟା ରହିଥିବା ବେଳେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । କ୍ଷଣିକ ଭିତରେ ଚାଲିଗଲା 12ରୁ ଊର୍ଦ୍ଧ୍ବ ଜୀବନ ।
ସୂଚନା ଅନୁସାରେ, ଏକ ପିକନିକ ବସ 45ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଆଜି(ବୁଧବାର) ଭୋର 5ଟା ସମୟରେ ଗୋଲାଘାଟ ଜିଲ୍ଲା ଦେରଗାଓଁ ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 25ରୁ ଅଧିକ ଆହତ ହୋଇଥିବା ନେଇ ଜଣାପଡିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ଖବର ପାଇ ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ରାସ୍ତା ମଝିରେ ଦୁର୍ଘଟଣା ହୋଇଥିବା ବେଳେ ଯାନବାହାନ ଚଳାଚଳରେ ଅସୁବିଧା ହୋଇଥିବା ଦେଖାଯାଇଛି । ପୋଲିସ ଜେସିବି ସାହାଯ୍ୟରେ ବସକୁ ରାସ୍ତାରୁ ଉଠାଇବା ଆରମ୍ଭ କରିଛି । ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଇଛି ।