ହାଇଦ୍ରାବାଦ:ଆନ୍ଧ୍ର ପ୍ରଦେଶ ଅନାକାପାଲ୍ଲୀ ଜିଲ୍ଲାରେ ଥିବା ଏକ ଫାର୍ମା କମ୍ପାନୀରେ ବିସ୍ଫୋରଣ ଘଟି 2 ଜଣଙ୍କ ମୃତ୍ୟୁ ହୋଇଛି । ଆଜି (ମଙ୍ଗଳବାର) ଜିଲ୍ଲାର ଅଚ୍ୟୁତପୁରମ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ (SEZ) ରେ ଥିବା ଜିଏଫ୍ଏମ୍ଏସ୍ ନାମକ ଏକ ଫାର୍ମା କମ୍ପାନୀରେ ଏହି ବଡ଼ ଧରଣର ବିସ୍ଫୋରଣ ଘଟିଛି । ପ୍ଲାଣ୍ଟର ରିଆକ୍ଟରରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିବା ସହ ବିସ୍ଫୋରଣ ହୋଇଥିଲା । ଏବେ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସମସ୍ତ ମୃତାହତ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବୋଲି ଜଣାପଡିଛି ।
ସୂଚନା ପାଇ ସ୍ଥାନୀୟ ପୋଲିସ ଓ ଫାଏର ଟିମ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ନିଆଁକୁ ଆୟତ କରିବା ସହ ପ୍ଲାଣ୍ଟ ପରିସରରେ ଥିବା କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ତେବେ କିଛି ଘଣ୍ଚାର ପରିଶ୍ରମ ପରେ ସମସ୍ତଙ୍କୁ ସୁରକ୍ଷିତ ବାହାର କରିବାରେ ରେସକ୍ୟୁ ଟିମ୍ ସଫଳତା ପାଇଥିଲା । ଏବେ ସୁଦ୍ଧା 2ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନେ ଚିକିତ୍ସାଧୀନ ଥିବା ବେଳେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ତାଜା ସୂଚନା ମିଳିନାହିଁ । କିଛି ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିବାରେ ସଫଳତା ମିଳିଛି ।