ଓଡିଶା

odisha

ETV Bharat / bharat

ମଣିପୁରରେ ପୁଣି ହିଂସା: ବାପ-ପୁଅଙ୍କ ସମେତ 4 ଜଣଙ୍କୁ ହତ୍ୟା

Manipur violence: ମଣିପୁରରେ ପୁଣି 4 ଜଣଙ୍କୁ ହତ୍ୟା । ମୃତକଙ୍କ ମଧ୍ୟରେ ବାପ-ପୁଅ । ଅଧିକ ପଢନ୍ତୁ

ମଣିପୁରରେ ପୁଣି ହିଂସା: ବାପ-ପୁଅ ସମେତ 4 ଜଣଙ୍କୁ ହତ୍ୟା
ମଣିପୁରରେ ପୁଣି ହିଂସା: ବାପ-ପୁଅ ସମେତ 4 ଜଣଙ୍କୁ ହତ୍ୟା

By ETV Bharat Odisha Team

Published : Jan 11, 2024, 10:46 PM IST

ଇମ୍ଫାଲ:ସରକାର ସ୍ଥିତିରେ ସୁଧାର ଆସୁଥିବା କହୁଥିବା ବେଳେ କିଛି ଦିନର ବ୍ୟବଧାନ ମଧ୍ୟରେ ମଣିପୁରରେ ପୁଣି ହିଂସାକାଣ୍ଡ ଘଟିଛି । 4 ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ଉଗ୍ରବାଦୀ । ଚୁରାଚାନ୍ଦପୁର ଓ ବିଷ୍ଣୁପୁର ଜିଲ୍ଲା ମଧ୍ୟରେ ଥିବା ଏକ ପାହାଡିଆ ଅଞ୍ଚଳରେ ଉଗ୍ରବାଦୀଙ୍କ ଦ୍ବାରା ଏହି ଚାରିଜଣ ଗ୍ରାମବାସୀଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ସ୍ଥାନୀୟ ପୋଲିସ ସୂତ୍ରରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଦୁଇ ବାପ-ପୁଅ ରହିଛନ୍ତି । ଆଜି ସମସ୍ତ 4 ଜଣଙ୍କ ମୃତଦେହ ଜଙ୍ଗଲ ନିକଟରୁ ଉଦ୍ଧାର ହେବା ପରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି । ଉକ୍ତ ଅଞ୍ଚଳରେ ସୁରକ୍ଷାବଳର ନିୟୋଜନକୁ ବଢାଯାଇଛି ।

ସ୍ଥାନୀୟ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଇମ୍ଫାଲ ଠାରୁ ପ୍ରାୟ 45 କିଲୋମିଟର ଦୂରରେ ଥିବା ବିଷ୍ଣୁପୁରର ଜିଲ୍ଲାର ଆକାସୋଇ ଗାଁର 4 ଜଣ ବ୍ୟକ୍ତି ହତ୍ୟାର ଶିକାର ହୋଇଛନ୍ତି । ସେମାନେ ଗତକାଲି ପୂର୍ବପରି କାଠ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ହେଲେ ସେମାନେ ଆଉ ଫେରିନଥିଲେ । ସେମାନଙ୍କୁ ଖୋଜାଖୋଜି କରିବା ପରେ ଥାନାରେ ଅବଗତ କରାଯାଇଥିଲା । ସେମାନଙ୍କୁ କୌଣସି ଉଗ୍ରବାଦୀ ସଂଗଠନ ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିଲା । ହେଲେ ଆଜି ଜଙ୍ଗଲରୁ ସମସ୍ତଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- ପାପୁଆ ନ୍ୟୁ-ଗିନିରେ ହିଂସକ ଆନ୍ଦୋଳନ: 15ରୁ ଅଧିକ ମୃତ, ଜାତୀୟ ଏମରଜେନ୍ସି ଘୋଷଣା

ତେବେ ନିକଟରେ ରାଜ୍ୟରେ କୌଣସି ନୂଆ ହିଂସା ପ୍ରାୟତଃ ଦେଖିବାକୁ ମିଳିନଥିଲା । ନିକଟରେ ଏକାଧିକ ଉଗ୍ରବାଦୀ ସଂଗଠନ ମଧ୍ୟ ଅସ୍ତ୍ର ଛାଡି ସରକାରଙ୍କ ଶାନ୍ତିଚୁକ୍ତିରେ ସାମିଲ ହୋଇଛନ୍ତି । ପୁରା ଭ୍ୟାଲିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସେନା, ପାରା ଫୋର୍ସ ଓ ସ୍ଥାନୀୟ ପୋଲିସ ଫୋର୍ସ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ଅଛନ୍ତି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ବିରେନ ସିଂ ମଧ୍ୟ ଆସାମ ଗସ୍ତ କରି ସେଠାରେ ଥିବା ମଣିପୁରୀ ଲୋକଙ୍କ ସ୍ଥିତି ସମ୍ପର୍କରେ ପ୍ରତିପକ୍ଷ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ସହ ଆଲୋଚନା କରିଥିଲେ । ମଣିପୁରରେ ସ୍ଥିତିରେ ସୁଧାର ଆସୁଥିବା ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାର କହୁଛନ୍ତି । ତଥାପି ବେଳେ ବେଳେ ହିଂସା ଓ ହତ୍ୟାକାଣ୍ଡ ଘଟଣା ଘଟିବାରେ ଲାଗିଛି । ଯାହା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡା କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details