ଓଡିଶା

odisha

ETV Bharat / bharat

Landslide In Raigad: ଭୂସ୍ଖଳନରେ ଦବିଲା ଗାଁ, ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି

ମହାରାଷ୍ଟ୍ରରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ । 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

landslide in Maharashtra
landslide in Maharashtra

By

Published : Jul 20, 2023, 9:32 AM IST

Updated : Jul 20, 2023, 12:05 PM IST

ମୁମ୍ବାଇ:ମହାରାଷ୍ଟ୍ରରେ ଦୁଃଖଦ ଘଟଣା । ବର୍ଷା ଯୋଗୁଁ ଭୂସ୍ଖଳନ ହେବାରୁ 10 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଘଟଣା ଘଟିଛି ରାୟଗଡ ଜିଲ୍ଲାର ଖାଲାପୁର ତହସିଲର ଇରଶାଲୱାଡି ଗ୍ରାମରେ । ଅନେକ ଲୋକ ଆବର୍ଜନା ତଳେ ଫସି ରହିଥିବା ବେଳେ 20 ଜଣ ଆହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 75 ଜଣଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି । ମୃତକଙ୍କ ମଧ୍ୟରେ ଉଦ୍ଧାର ସମୟରେ ଜଣଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଏନଡିଆରଏଫ ଓ ଏସଡିଆରଏଫ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

ଅତି କମରେ 100 ଜଣ ଲୋକ ଆବର୍ଜନାରେ ଫସି ରହିଥିବା ଆଶଙ୍କା କରାଯାଉଛି । 20 ଜଣରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ନଭି ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ମହାରାଷ୍ଟ୍ର ମନ୍ତ୍ରୀ ଉଦୟ ସାମନ୍ତ ଏବଂ ଦାଦା ଭୁସେ ଇରଶାଲୱାଡି ଗ୍ରାମରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଆଜି (ଗୁରୁବାର) ସକାଳ ସମୟରେ ଭୁସ୍ଖଳନ ସମ୍ପର୍କରେ ସୂଚନା ପାଇବା ପରେ ଇରଶାଲୱାଡି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଅନ୍ୟପଟେ ମୃତକଙ୍କ ପରିବାରକୁ ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ସହ ଆହତଙ୍କ ଚିକିତ୍ସା ମାଗଣା କରାଯିବା ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତ-ସିକ୍କିମରେ ଭୂସ୍ଖଳନ: ଯୋଗାଯୋଗ ବାଧାପ୍ରାପ୍ତ, 3500 ପର୍ଯ୍ୟଟକଙ୍କୁ ଉଦ୍ଧାର କଲା ସେନା

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଲୋକଙ୍କ ଜୀବନ ବଞ୍ଚାଇବା ରାଜ୍ୟ ସରକାରଙ୍କ ପ୍ରଥମ ପ୍ରାଥମିକତା । ଉଦ୍ଧାର କାର୍ଯ୍ୟ ପାଇଁ ଭାରତୀୟ ବାୟୁସେନାର ସହାୟତା ଲୋଡିଛୁ । ଦୁଇଟି ହେଲିକପ୍ଟର ଏଥି ପାଇଁ ପ୍ରସ୍ତୁତ ରହିଛନ୍ତି । ପାଗ ଭଲ ରହିଲେ ସର୍ଚ୍ଚ ଅପରେସନରେ ସାମିଲ ହେବେ । ଭୂସ୍ଖଳନ ଯୋଗୁଁ ଇରଶାଲୱାଡି ଗ୍ରାମକୁ ଯାତାୟତ ବନ୍ଦ ରହିଛି । ଦୁଇଟି ପାହାଡ ମଧ୍ୟରେ ଏହି ଗ୍ରାମ ରହିଛି । ତେଣୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମୁମ୍ବାଇର ଏମରଜେନ୍ସି କଣ୍ଟ୍ରୋଲ ରୁମରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଉପରେ ଆଲୋଚନା କରୁଛନ୍ତି । ମହାରାଷ୍ଟ୍ରର କୋନକାନ ଅଞ୍ଚଳରେ ଲଗାତାର ବର୍ଷା ଲାଗିଛି ।

ଗତ 16 ତାରିଖ ଦିନ ଉତ୍ତର ସିକ୍କିମରେ ପ୍ରବଳ ବର୍ଷା ପରେ ବ୍ୟାପକ ଭୂସ୍ଖଳନ ହୋଇଥିଲା । ଲାଚେନ, ଲାଚଙ୍ଗ ଏବଂ ଚୁଙ୍ଗଥାଙ୍ଗ ଉପତ୍ୟକାରେ ଭୂସ୍ଖଳନ ପରେ ଯୋଗାଯୋଗ ବିଚ୍ଛିନ୍ନ ହେବା କାରଣରୁ ଅନେକ ପର୍ଯ୍ୟଟକ ଫସିରହିଥିଲେ । ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗରେ ଫସି ରହିଥିବା 3,500 ପର୍ଯ୍ୟଟକଙ୍କୁ ସେନାର ଯବାନ ମାନେ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିଥିଲେ।

Last Updated : Jul 20, 2023, 12:05 PM IST

ABOUT THE AUTHOR

...view details