ହାଇଦ୍ରାବାଦ:କୋଲକାତାରେ ରାଜନୈତିକ କାର୍ଯ୍ୟକ୍ରମ ବେଳେ ବ୍ୟାପକ ହିିଂସା ଦେଖିବାକୁ ମିଳିଛି । ISF ଦଳୀୟ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ପରିସ୍ଥିତି ଦେଖିବାକୁ ମିଳିଛି । ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ (ISF) କର୍ମୀ ଓ ପୋଲିସ ମଧ୍ୟରେ ଏହି ଖଣ୍ଡଯୁଦ୍ଧରେ ଉଭୟ ପକ୍ଷରୁ ଏକାଧିକ ଆହତ ହୋଇଛନ୍ତି । ପୋଲିସ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ଯାସ ପ୍ରୟୋଗ କରିଛି । ଏଥିରେ ISF ବିଧାୟକଙ୍କୁ ପୋଲିସ ଗିରଫ ରଖିଥିବା ମଧ୍ୟ ସୂଚନା ରହିଛି ।
2021 ବିଧାନସଭା ନିର୍ବାଚନ ପୂର୍ବରୁ ଆବ୍ବାସ ସଦ୍ଦିକିଙ୍କ ଦ୍ବାରା ଗଠିତ ରାଜନୈତିକ ଦଳ ଇଣ୍ଡିଆନ ସିକ୍ୟୁଲାର ଫ୍ରଣ୍ଟ ଆଜି ମଧ୍ୟ କୋଲକାତାର ଏକ୍ସପାନେଡରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଆଇଏସଏଫ ନେତା ତଥା ଦକ୍ଷିଣ 24 ପ୍ରଗଣା ଜିଲ୍ଲାର ଭାଙ୍ଗର ବିଧାୟକ ନୌସାଦ ସିଦ୍ଦିକି ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଉଥିଲେ । ଏହି ସମୟରେଲ ପ୍ରଥମେ ତୃଣମୂଳ କଂଗ୍ରେସ କର୍ମୀ ଓ ପରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ହୋଇଥିଲା । ISF କର୍ମୀମାନେ ପୋଲିସ ଉପରେ ବାଡି, ଠେଙ୍ଗାରେ ଆକ୍ରମଣ କରିବା ସହ ପଥରମାଡ କରିଥିଲେ । ପୋଲିସ ମଧ୍ୟ ଲାଠି ଚାଳନା କରିବା ସହ ହିଂସାକାରୀଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏଥିରେ ଉଭୟ ପୋଲିସ ଓ ISF କର୍ମୀମାନେ ଆହତ ହୋଇଛନ୍ତି । କାର୍ଯ୍ୟକ୍ରମର ଆୟୋଜନ କରିଥିବା ବିଧାୟକ ନୌସାଦ ସିଦ୍ଦିକିଙ୍କୁ ପୋଲିସ ଗିରଫ କରିଛି ।