ଗାନ୍ଧୀନଗର: ମୋରବୀ ଝୁଲାପୋଲ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା 134 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପ୍ରାଥମିକ ଭାବେ 7 ଜଣ ଓ ପରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 134ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ 25 ଜଣ ଶିଶୁ ରହିଛନ୍ତି । ତେବେ 177ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
ଗୁଜୁରାଟରେ ବ୍ରିଟିଶ ଅମଳରୁ ଥିବା ମୋରବୀର ମଞ୍ଚୁ ନଦୀରେ କେବୁଲ ବ୍ରିଜ ହଠାତ୍ ଭାଙ୍ଗି ପଡିବାରୁ ଶତାଧିକ ଲୋକ ନଦୀ ମଝିର ଅଥଳ ଜଳରାଶି ମଧ୍ୟକୁ ଖସି ପଡିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ନଦୀରୁ ଲୋକଙ୍କୁ ଉଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ବର୍ତ୍ତମାନ ମୃତ୍ୟୁ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଏବେ ମଧ୍ୟ ବହୁ ଲୋକେ ନିଖୋଜ ରହିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଅଦ୍ୟାବଧି ଜାରି ରହିଛି । ବାୟୁସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଉଦ୍ଧାର ଅଭିଯାନ ଜୋରଦାର କରିଥିଲେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଋଷିକେଷ ପଟେଲ କହିଛନ୍ତି, ‘‘ଆହତମାନେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଚିତିତ୍ସିତ ହୋଇ ଘରକୁ ଫେରିଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି । ନଦୀରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।’’ ସେପଟେ ଅଘଟଣ ନେଇ ସମୀକ୍ଷା ବୈଠକ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।
ରବିବାର ସଂଧ୍ୟା ପ୍ରାୟ ସାଢେ 6ଟା ବେଳେ ଏହି ଅଘଟଣ ଘଟିଛି । ପୋଲ ଉପରେ ପ୍ରାୟ ଶତାଧିକ ଲୋକ ଥିବା ବେଳେ ପୋଲଟି ଖସି ପଡିଥିଲା । ଖବର ସମ୍ପର୍କରେ ଜଣାପଡିବାର ମାତ୍ର 15 ମିନିଟ ମଧ୍ୟରେ ସ୍ଥାନୀୟ ଅଗ୍ନିଶମ ବାହିନୀ, ଜିଲ୍ଲାପାଳ, ଜିଲ୍ଲା ଏସ.ପି, ଡାକ୍ତର, ଆମ୍ବୁଲାନ୍ସ ଟିମ ଘଟଣାସ୍ଥଳରେ ପହଞ୍ଚି ଅପରେସନ ଆରମ୍ଭ କରିଥିଲେ । ତେବେ ବହୁଲୋକ ପାଣିରେ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ସେମାନଙ୍କୁ ଠାବ କରି ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଜାରି ରିହଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ସପ୍ତାହ ତଳେ ପୋଲ ମରାମତି ହୋଇଥିଲା । ଆବଶ୍ୟକଠୁ ଅଧିକ ଲୋକ ପୋଲରେ ଥିବାରୁ ଏହି ଅଘଟଣ ଘଟିଛି । ପୋଲର କ୍ଷମତା 100ଥିବା ବେଳେ ସେଥିରେ ପାଖାପାଖି 400 ଲୋକ ଜମା ହୋଇଥିଲେ ।