କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ଏହାରି ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ଏହି ନିର୍ବାଚନୀ ହିଂସାରେ 15 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଭିନ୍ନ ମତଦାନ କେନ୍ଦ୍ରରେ ବାଲାଟ ବକ୍ସ ଜାଳି ଦେଇଛନ୍ତି ଭୋଟର । ଅନେକ ବୁଥ୍ରେ ପୋଡ଼ାଜଳା ସହ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ହିଂସାଗ୍ରସ୍ତ ଅଞ୍ଚଳରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମୃତକଙ୍କ ମଧ୍ୟରେ 6 ଜଣ ଟିଏମସିର କର୍ମୀ ହୋଇଥିବା ବେଳେ ଜଣେ ବିଜେପି ଓ ଜଣେ ସିପିଆଇଏମ କର୍ମୀ ରହିଛନ୍ତି ।
ମୁର୍ସିଦାବାଦରେ 3 ଜଣ ଟିଏମସି କର୍ମୀଙ୍କର ମୃତ୍ୟୁ ହୋଇଥିବା ବେଳେ କୁଚ ବିହାରରେ ଜଣେ ବିଜେପି ଓ ଟିଏମସି କର୍ମୀଙ୍କର ମୃତ୍ୟୁ ହୋଇଛି । ସେହିପରି ପୂର୍ବ ବର୍ଡୱାନରେ ଜଣେ ସିପିଆଇ (ଏମ୍) କର୍ମୀ, ମାଲଦା ଏବଂ ଦକ୍ଷିଣ 24 ପରଗଣାରେ 2 ଜଣ ଟିଏମସି କର୍ମୀଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ କୁଚ ବିହାରରେ ବାଲାଟ୍ ବକ୍ସରେ ନିଆଁ ଲଗାଇ ଦେଇଛନ୍ତି ଭୋଟର । ବାଲାଟ ବକ୍ସକୁ ପାଣି ଫିଙ୍ଗିବାରୁ ଇନ୍ଦ୍ରେଶ୍ବର ପ୍ରାଥମିକ ବିଦ୍ୟାଳୟରେ ଭୋଟିଂ ବନ୍ଦ ରହିଛି । ଆଜି ସକାଳ ସମୟରେ ମାଲଦାର ଗୋପାଳପୁର ପଞ୍ଚାୟତର ବାଲୁଟୋଲା ଠାରେ କଂଗ୍ରେସ ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥଲା । ଏହି ସମୟରେ ବୋମାମାଡ ମଧ୍ୟ ହୋଇଥିଲା । ହିଂସା କାରଣରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୁର୍ସିଦାବାଦ ଜିଲ୍ଲା ।