ପାଟନା: ଏକ ବିବାହ ଉତ୍ସବରୁ ଯୋଗ ଦେଇ ହସଖୁସିରେ ଫେରୁଥିଲେ ପରିବାର । ହେଲେ ବାଟରେ ଛପି ବସିଥିଲା ଯମ। ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର 5ଜଣଙ୍କ ଜୀବନ। ଗଚତକାଲି (ଶନିବାର) ଦିନ ବିହାରର ମୁଜାଫରପୁର-ବୈଶାଳି NH-28 ର ଚିକାନୋଟା ନିକଟରେ ଟ୍ରକ ଓ କାର ମୁହାମୁହିଁ ଧକ୍କା। ଫଳରେ ଘଟଣାସ୍ଥଳରେ କାରରେ ଥିବା 5ଜଣଙ୍କର ଏକାସାଙ୍ଗରେ ମୃତ୍ୟୁ ଘଟିଛି। ତେବେ ମୃତ ବ୍ୟକ୍ତିମାନେ କାଣ୍ଟି ପୋଲିସ ଷ୍ଟେସନ ଅଞ୍ଚଳର ବାସିନ୍ଦା କମଲେଶ ମହାଟୋ, ପତ୍ନୀ ରିଙ୍କୁ ଦେବୀ, ପୁଅ ଅମାନ କୁମାର, ଅଙ୍କିତ କୁମାର ବୋଲି ଜଣାପଡିଛି ।
ସୂଚନା ମୁତାବକ, ବିବାହ ଉତ୍ସବ ସାରି ଫେରିବା ପାଇଁ ଶ୍ବଶୂର ଘର ଲୋକ ଏକ କାର ଯୋଗାଇ ଦେଇଥିଲେ । ସେହି କାର ଯୋଗେ ସମସ୍ତ ପରିବାର ଲୋକ ମୁଜାଫରପୁରର କାଣ୍ଟି କଲୱାରୀ ଗ୍ରାମକୁ ଯାଉଥିଲେ । ସେହି ସମୟରେ ମୁଜାଫରପୁର NH 28ରେ ଚିକାନୋଟା ନିକଟରେ ଏକ ଦଶ ଚକିଆ ଟ୍ରକ୍ ଏବଂ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ବ୍ୟତୀତ ସ୍ୱାମୀ-ସ୍ତ୍ରୀ ଏବଂ ଦୁଇ ପିଲା ଥିଲେ । ଡ୍ରାଇଭରଙ୍କ ବ୍ୟତୀତ ସମସ୍ତେ ଗୋଟିଏ ପରିବାରର ଥିଲେ ।