ଜୟପୁର:ରାଜସ୍ଥାନର ଝୁନଝୁନରେ ଏକ ଟ୍ରାକ୍ଟର ଟ୍ରଲି 80 ଫୁଟ ତଳକୁ ଖସିପଡିବା କାରଣରୁ 8ଜଣ ପ୍ରାଣ ହରାଇଛନ୍ତି । ପ୍ରାୟ 50 ରୁ ଅଧିକ ଆହତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଗୁରୁତର ମଧ୍ୟ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ପ୍ରଶାସନ ମୃତ୍ୟୁସଂଖ୍ୟା ନେଇ କିଛି ସୂଚନା ଦେଇନଥିବା ବେଳେ ଅତିକମରେ 8 ଜଣଙ୍କ ପ୍ରାଣହାନୀ ଘଟିଥିବା ଏକାଧିକ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ମୃତାହତଙ୍କ ପରିଚୟ ମଧ୍ୟ ସ୍ପଷ୍ଟ କରାଯାଇପାରିନି । ଟ୍ରାକ୍ଟରରେ କେତେ ଲୋକ ଥିଲେ ସେ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳିନି ।
ସୂଚନା ଅନୁସାରେ ପ୍ରାୟ 60 ରୁ ଅଧିକ ଲୋକେ ଏହି ଟ୍ରାକ୍ଟର ଟ୍ରଲିରେ ଯାତ୍ରା କରୁଥିଲେ । ଟ୍ରାକ୍ଟରଟି ଭାରସାମ୍ୟ ହରାଇ 80 ଫୁଟ ତଳକୁ ଖସିପଡିଥିବା ଅନୁମାନ କରାଯାଉଛି । ଟ୍ରାକ୍ଟର ଟ୍ରଲି ବା ଡାଲା ତଳେ ଯାତ୍ରୀମାନେ ଚାପି ହୋଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲା । ପୋଲିସ ଓ ଅନ୍ୟ ଜରୁରୀ ବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ହେଲେ ଏପର୍ଯ୍ୟନ୍ତ ପ୍ରାୟ 8 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଗୁରୁତରଙ୍କ ସହ 50 ରୁ ଅଧିକ ଆହତ ଯାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କିଛି ଆହତ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବଢିବା ନେଇ ଆଶଙ୍କା ମଧ୍ୟ ପ୍ରକାଶ ପାଇଛି । ସମସ୍ତେ ଶ୍ରମିକ ଶ୍ରେଣୀର ହୋଇଥିବା ଅନୁମାନ କରାଯାଉଛି ।