ଚେନ୍ନାଇ:ଅଧାରେ ରହିଲା ଘର ବାହୁଡା । ତୀର୍ଥଯାତ୍ରା ସାରି ଫେରୁଥିବା ବେଳେ ରାସ୍ତାରେ ଜଗିଥିଲା ମୃତ୍ୟୁ । ଟ୍ରକ ଧକ୍କାରେ ଲିଭିଗଲା 7 ଜୀବନ ଦୀପ । ଆଜି(ସୋମବାର) ତାମିଲନାଡୁର ତିରୁପଟ୍ଟୁ ଜିଲ୍ଲାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ସମସ୍ତେ ତୀର୍ଥଯାତ୍ରାରେ କର୍ଣ୍ଣାଟକ ଯାଇଥିଲେ । ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି ।
ସୂଚନା ମୁତାବକ, ଗତ ସେପ୍ଟେମ୍ବର 8 ତାରିଖରେ ତାମିଲନାଡୁର ତିରୁପଟ୍ଟୁର ଜିଲ୍ଲାର ଓନାଙ୍ଗୁଟ୍ଟାଇ ଗାଁର 45 ଜଣ ବ୍ୟକ୍ତି 2ଟି ଭ୍ୟାନରେ ତୀର୍ଥଯାତ୍ରା ପାଇଁ କର୍ଣ୍ଣାଟକ ରାଜ୍ୟକୁ ଯାଇଥିଲେ । ଗତକାଲି ସକାଳେ ସମସ୍ତେ ଯାତ୍ରା ଶେଷ କରି ନିଜ ଗାଁକୁ ଫେରୁଥିଲେ । ତେବେ ବାଙ୍ଗାଲୋର-ଚେନ୍ନାଇ ଜାତୀୟ ରାଜପଥରେ ଯାତ୍ରୀବାହୀ ଭ୍ୟାନ ଛିଡା ହୋଇଥିବା ବେଳେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ 7 ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ୧୦ ଜଣ ଗୁରୁତର ଆହତ ହୋଇଛନ୍ତି ।
ଏନେଇ ସ୍ଥାନୀୟ ଲୋକେ ଡ୍ରାଇଭର ସମେତ 10 ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ ଭାନିଆମ୍ପାଡି, ନାତ୍ରାମପାଲ୍ଲୀ ଏବଂ ତିରୁପାଥୁର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଭେଲୋର ଏବଂ କୃଷ୍ଣଗିରି ସରକାରୀ ଡାକ୍ତରଖାନାକୁ ପଠାଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତଦେହ ଉଦ୍ଧାର କରି ତିରୁପାଥୁର ଏବଂ ଭାନିଆମ୍ବାଡି ସରକାରୀ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ନାତ୍ରାପଲ୍ଲୀ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।