ବେଙ୍ଗାଲୁରୁ:କର୍ଣ୍ଣାଟକ ମହୀଶୂରରେ ଭୟଙ୍କର ସଡ଼଼କ ଦୁର୍ଘଟଣା । କାର ସହ ଏକ ଘରୋଇ ବସ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ କିଛି ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହୀଶୂରର କୋଲେଗାଲ-ଟି ନରସିପୁରା ମୁଖ୍ୟ ରାସ୍ତା କୁରୁବୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ:କାର-ଟ୍ରକ ମଧ୍ୟରେ ଧକ୍କା, ଲିଭିଗଲା 6 ଜୀବନ ଦୀପ
ସୂଚନା ଅନୁସାରେ, କାରରେ ଥିବା ଯାତ୍ରୀମାନେ ମେଲ୍ ମାଦେଶ୍ବର ଦର୍ଶନ କରି ବେଲାରିରୁ ମହୀଶୂର ଅଭିମୁଖେ ଯାଉଥିଲେ । ଏହି ସମୟରେ କୋଲେଗାଲ-ଟି ନରସିପୁରା ମୁଖ୍ୟ ରାସ୍ତା ନିକଟରେ ଏକ ଘରୋଇ ବସ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କିଛି ଜଣ ଆହତ ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ପଠାଇଛି । ଆତହଙ୍କ ମଧ୍ୟରେ ଜଣେ ୪୫ ବର୍ଷୀୟ ବ୍ୟକ୍ତି, ୨୪ ବର୍ଷୀୟ ଯୁବକ ଏବଂ ୪ ବର୍ଷର ଶିଶୁ ଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୁଖ୍ୟ ରାସ୍ତାରେ ଅନେକ ବଡ଼ବଡ଼ ଗଛ ଥିବା ଯୋଗୁଁ ଦୂରରୁ ବିଲାଣିଆ ରାସ୍ତାଟି ସଠିକ୍ ଭାବେ ଦେଖାଯାଏ ନାହିଁ । ତେଣୁ ଅନେକ ସମୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟିଥାଏ । ଅନ୍ୟପଟେ ଏହି ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।