ହାଇଦ୍ରାବାଦ:ଗତକାଲି ଏବଂ ଆଜି ତେଲେଙ୍ଗାନାର ହାଇଦ୍ରାବାଦ ସହର ସମେତ ଦୁଇଟି ଜିଲ୍ଲାର ଏକାଧିକ ସଡକ ଦୁର୍ଘଟଣା ଘଟିଛି । ପୃଥକ ପୃଥକ ଦୁର୍ଘଟଣାରେ ୭ ଜଣ ପ୍ରାଣ ହରାଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି । ଯାଦାଦ୍ରି ଜିଲ୍ଲାରେ ଘଟିଥିବା ଏକାଧିକ ଦୁର୍ଘଟଣାରେ ୫ ଜଣ ପ୍ରାଣ ହରାଇଥିବା ବଳେ ଅନ୍ୟ କିଛି ଆହତ ହୋଇଛନ୍ତି । ସେହିପରି ହାଇଦ୍ରାବାଦରେ ଦୁର୍ଘଟଣା ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି ।
ଗତକାଲି ଯାଦାଦ୍ରି ଜିଲ୍ଲାର ଚୈତନ୍ୟ ମଣ୍ଡଳ ଅଞ୍ଚଳରେ ବାଇକରେ ଯାଉଥିବା ବାପ ପୁଅଙ୍କୁ ଏକ କାର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଏହି ଅଘଟଣାର ଦୁଇ ଘଣ୍ଟା ପରେ ଜିଲ୍ଲାରେ ଅନ୍ୟ ଏକ ଦୁର୍ଘଟଣା ମଧ୍ୟ ଘଟିଛି । ଏକ ବାଇକ୍ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ (ଲରୀ) କୁ ଧକ୍କା ଦେବାରୁ ଦୁଇ ବାଇକ ଆରୋହୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ।
ସେହିପରି ଆଜି ସକାଳେ ଧର୍ମୋଜିଗୁଡେମ୍ରେ ଏକ RTC ବସ୍ ଏକ କାରକୁ ଧକ୍କା ଦେଇଥିଲା । କାରରେ ଥିବା ୭ ଜଣଙ୍କ ମଧ୍ୟରୁ ଦୁଇଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ମାନେ ହାଇଦ୍ରାବାଦର ହୋଇଥିବାବେଳେ ସମସ୍ତେ ବଜରଙ୍ଗ ଦଳର ସଦସ୍ୟ ବୋଲି କୁହାଯାଉଛି ।