ଅମରାବତୀ: ତିରୁମାଳା ଭେଙ୍କେଟେଶ୍ବର ସ୍ବାମୀଙ୍କ ଦର୍ଶନ ପାଇଁ ତୁଫାନ ବା ପିକଅପ ଭ୍ୟାନ ଗାଡିରେ ଘରୁ ବାହାରି ଥିଲେ ପରିବାର ସହ ବନ୍ଧୁ ପରିଜନ । ଭାବିଥିଲେ ବିଷ୍ଣୁ ଠାକୁରଙ୍କୁ ଦର୍ଶନ କରି ଆଶିଷ ନେଇ ଘରକୁ ଫେରିବେ । ହେଲେ ଦଇବର ନିୟତି କିଛି ଅଲଗା ରହିଥିଲା । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅସ୍ତ ହୋଇଗଲା ଜୀବନ ଦୀପ । ଏକ ସଡକ ଦୁର୍ଘଟଣାରେ ଚାଲିଗଲା ୭ଜଣଙ୍କ ଜୀବନ । ଏହାସହ ୫ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଓ୍ବାଇଏସଆର ଜିଲ୍ଲାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସର କହିବା ଅନୁସାରେ, "ଆନ୍ଧ୍ରପ୍ରଦେଶ ଅନନ୍ତରପୁରମ ଜିଲ୍ଲାର ତଦିପତ୍ରି ଏବଂ କର୍ଣ୍ଣାଟକ ବାଲରିର ୧୪ଜଣ ବନ୍ଧୁ ପରିଜନ ତିରୁମାଳା ଭେଙ୍କେଟେଶ୍ବର ସ୍ବାମୀଙ୍କ ଦର୍ଶନ ପାଇଁ ଏକ ତୁଫାନ ଗାଡିରେ ବାହାରି ଥିଲେ । ବିଷ୍ଣୁଙ୍କ ଦର୍ଶନ କରି ପୁଣି ଥରେ ଉକ୍ତ ଗାଡିରେ ଘରକୁ ଫେରୁଥିଲେ । ହେଲେ ମଝି ରାସ୍ତାରେ ଅଟକିଥିଲା ଜମ । ଓ୍ବାଇଏସଆର ଜିଲ୍ଲାର କୋଣ୍ଡାପୁର ମଣ୍ଡଳ ଇତୁରୁ ଗ୍ରାମର କଡପା-ତଦିପାତ୍ରୀ ମେନ ରୋଡରେ ଗାଡିଟି ଦୁର୍ଘଟଣା ହୋଇଥିଲା । ଅଧାରାସ୍ତାରେ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଲୋରି ସହ ଧକ୍କା ହୋଇଥିଲା । ଫଳରେ ଭୟଙ୍କର ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୭ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୫ଜଣ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ୧୦୮ ଆମ୍ବୁଲାନ୍ସରେ ତଦିପାତ୍ରୀ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆହତମାନେ ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।"
ଖବରପାଇ ସିଆଇ ସୁଦର୍ଶନ ପ୍ରସାଦ ଏବଂ ଏସଏସ ସତ୍ୟନାରାୟଣ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଦୁର୍ଘଟଣା ଫଳରେ ରାସ୍ତାରେ ଟ୍ରାଫିକ ଜାମ ହୋଇଥିଲା ।