ଜୟପୁର:ଅଧାରେ ରହିଲା ଦେବୀ ଦର୍ଶନ । କୈଲା ଦେବୀଙ୍କ ପୀଠକୁ ଯିବା ପାଇଁ ନଦୀ ପାର୍ ହେଉଥିବାବେଳେ ଭାସିଗଲେ ୧୭ ଜଣ ଶ୍ରଦ୍ଧାଳୁ । ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସୀମାରେ ଏଭଳି ବଡ ଅଘଟଣ ଘଟିଯାଇଛି । ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରୁ ପ୍ରାୟ ୧୭ ଜଣ ଶ୍ରଦ୍ଧାଳୁ ରାଜସ୍ଥାନ କରୌଲି ଜିଲ୍ଲାର ଅଧିଷ୍ଠାତ୍ରୀ କୈଲା ଦେବୀଙ୍କ ଦର୍ଶନ ପାଇଁ ଚାଲି ଚାଲି ଆସୁଥିଲେ । ବାଟରେ ଚମ୍ବଲ ନଦୀ ପାର୍ ହେଉଥିବାବେଳେ ହଠାତ୍ ପ୍ରଖର ସୁଅ ଆସିବାରୁ ସମସ୍ତେ ଭାସି ଯାଇଛନ୍ତି । ଏବେ ସୁଦ୍ଧା ୩ ଜଣ ଶ୍ରଦ୍ଧାଳୁଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଅନେକ ଶ୍ରଦ୍ଧାଳୁ ନଦୀରେ ନିଖୋଜ ଅଛନ୍ତି । ଏସଡିଆରଏଫ ଓ ଅଗ୍ନିଶମ ବାହିନୀ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ପାଇ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ସୂଚନା ମୁତାବକ, ଶିବପୁରୀ ଜିଲ୍ଲାର କୁଶବାହ ସମାଜର ୧୭ ଜଣ ଲୋକ କୈଲା ଦେବୀଙ୍କ ଦର୍ଶନ ପାଇଁ ପଦଯାତ୍ରା ଆରମ୍ଭ କରିଥିଲେ । ସେ ଶିବପୁରୀରୁ ଚାଲି ଚାଲି ମାଆଙ୍କ ମନ୍ଦିରକୁ ଆସୁଥିଲେ । କୈଲା ଦେବୀଙ୍କ ପୀଠକୁ ଯିବାବାଟରେ ଚମ୍ବଲ ନଦୀ ପଡେ । ତେଣୁ ସମସ୍ତ ଶ୍ରଦ୍ଧାଳୁ ରୋଧଇ ଘାଟ ଠାରେ ନଦୀ ଭିତରେ ପଶି ଆରପଟକୁ ଯିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ହଠାତ୍ ନଈରେ ପ୍ରଖର ସୁଅ ଆସିଥିଲା । ଯେଉଁ କାରଣରୁ ଶ୍ରଦ୍ଧାଳୁମାନେ ଭାସିଯାଇଥିଲେ ।