ଓ୍ବାଶିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର କେଣ୍ଟକି (Kentucky)ରେ ହୋଇଥିବା ଟର୍ଣ୍ଣାଡୋରେ ପ୍ରାୟ 50 ଜଣଙ୍କ ପ୍ରାଣହାନୀ ହୋଇଥିବା ସ୍ଥାନୀୟ ପ୍ରଶାସନ ଆଶଙ୍କା କରୁଛି । ଗୁରୁବାର ରାତି ଓ ଗତକାଲି (ଶୁକ୍ରବାର) ସକାଳ ମଧ୍ୟବର୍ତ୍ତୀ ସମୟରେ ହୋଇଥିବା ଘୂର୍ଣ୍ଣିଝଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅତିକମରେ ପ୍ରାୟ 50ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା କେଣ୍ଟକି ଗଭର୍ନର ସୂଚନା ଦେଇଛନ୍ତି । ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ଷୟକ୍ଷତିର ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଟର୍ଣ୍ଣାଡୋ ପରେ ସ୍ଥାନୀୟ ଅଞ୍ଚଳରେ ସମାୟିକ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଥିବା ବେଳେ ନ୍ୟାସନାଲ ଗାର୍ଡର ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଆଧାରରେ ପ୍ରାୟ 50 ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବାବେଳେ ମୃତ୍ୟୁ ସଂଖ୍ୟା 70 ରୁ 100 ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।