ନୂଆଦିଲ୍ଲୀ:ଅଗ୍ନିପଥ ଯୋଜନା ନେଇ ଦେଶରେ ଉତ୍ତେଜନା ସ୍ଥିତି ଲାଗି ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ 3 ସେନାମୁଖ୍ୟ । ତିନି ସେନା ସ୍ଥଳସେନା, ବାୟୁସେନା ଓ ନୌସେନାର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ । ଅଗ୍ନିପଥ ଯୋଜନା ଅଧୀନରେ ତିନି ସେନାରେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଯୋଜନା ନେଇ ରହିଥିବା ବିବାଦ ଓ ସାମ୍ପ୍ରତିକ ସ୍ଥିତି ନେଇ ଆସନ୍ତାକାଲିର ସାକ୍ଷାତକାରରେ ଆଲୋଚନା ହେବା ନେଇ ଆଶା କରାଯାଉଛି ।
ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ସେନା ମୁଖ୍ୟଙ୍କ ସହ ଏକାଧିକ ଥର ବୈଠକ ସାରିଛନ୍ତି । ବୈଠକ ପରେ ଅନେକ ସଂଶୋଧିତ ସର୍ତ୍ତବାଳୀ ମଧ୍ୟ ଆସିସାରିଛି । ତିନି ସେନାରେ ଅଗ୍ନିବୀରଙ୍କୁ ସଂରକ୍ଷଣ ଦେବା ନେଇ ନିଷ୍ପତ୍ତି କରିଥିଲା କେନ୍ଦ୍ର କ୍ୟାବିନେଟ୍ । ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ସେନାର ବରିଷ୍ଠ ଅଧିକାରୀମାନେ ଆଶାୟୀ ଯୁବକଙ୍କୁ ହିଂସା ପରିତ୍ୟାଗ କରି ଯୋଜନା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ପରାମର୍ଶ ଦେବା ଜାରି ରଖିଛନ୍ତି ।